ଜିରୋ ନାଇଟ ସେଳିବ୍ରେସନ ସମୟରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲାରେ ନୂଆବର୍ଷ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜିରୋ ନାଇଟ୍‌ ପାର୍ଟିରେ ସତ୍ୟବ୍ରତ ସିଅନ ନାମକ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ବୁଧବାର ସକାଳୁ ଯୁବକଙ୍କ ଦୋକାନ ସମ୍ମୁଖରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ନୂଆବର୍ଷ ଉପଲକ୍ଷେ ମଙ୍ଗଳବାର ବିଳମ୍ବିତ ରାତିରେ ଯୁବକ ଜଣକ ଗ୍ରାମର ଅନ୍ୟ କିଛି ଯୁବକଙ୍କ ସହିତ ମିଶି ଭୋଜିଭାତ କରିଥିଲେ। ପରେ ବୁଧବାର ସକାଳେ ତାଙ୍କ ଦୋକାନ ସମ୍ମୁଖରୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ଶରୀରରେ ଆକ୍ରମଣର ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ବିବାଦକୁ କେନ୍ଦ୍ର କରି ତାଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ତାଙ୍କ ଦୋକାନ ଆଗରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।