ତଥ୍ୟ ନଷ୍ଟ କରିବାକୁ ଯାଇ ମା-ଝିଅକୁ ହତ୍ୟା କରିଥିଲେ ଅନୁପ ସାଏ: ଛତିଶଗଡ଼ ପୁଲିସ

ରାୟଗଡ,ଏନ୍ଏନ୍ଏସ୍: ଗୋଟିଏ ନୁହେଁ ମାତ୍ର କେଇ ମୁହୁର୍ତ୍ତରେ ଦୁଇ ଦୁଇଟି ହତ୍ୟାକାଣ୍ଡ କରିଥିଲେ ପୂର୍ବତନ ବିଧାୟକ ତଥା ବିଜେଡିରୁ ବହିଷ୍କୃତ ନେତା ଅନୁପ ସାଏ । ଆଉ ଏହି ଡବଲ ମର୍ଡର ଘଟଣାରେ ଅନୁପଙ୍କ ସଂପୃକ୍ତି ନେଇ ଖୁଲାସା କରିଛି ଛତିଶଗଡ ପୋଲିସ । ଅତି ଚତୁରତାର ସହ ନିର୍ମମ ଭାବେ ମାଆ କଳ୍ପନା ଦାସ ଓ ଝିଅ ବବଲୀ ଦାସଙ୍କୁ ମାରି ରାସ୍ତାରେ ଫୋପାଡି ଦେବା ସହ ବାରମ୍ବାର ଗାଡି ଚଢାଇ ପରିଚୟ ଉଡାଇ ଦେବାକୁ କରିଥିଲେ ଉଦ୍ୟମ । ମାତ୍ର ୪ ବର୍ଷ ପରେ ପୋଲିସ ଡବଲ ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟାଇଛି ।

୨୦୦୫ରେ କଳ୍ପନା ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ । ଏହାପରେ ତାଙ୍କ ଭେଟ ହୋଇଥିଲା ଅନୁପଙ୍କ ସହ । ୨୦୧୧ରୁ ୨୦୧୬ ପର୍ୟ୍ୟନ୍ତ ଦୀର୍ଘ ୫ ବର୍ଷ ଯାଏଁ ଅନୁପଙ୍କ ସହ କଳ୍ପନା ଏକାଠି ରହିଆସୁଥିଲେ । ଭୁବନେଶ୍ୱରର ସୁନ୍ଦରପଦାରେ ଫ୍ଲାଟ କିଣି ମା, ଝିଅଙ୍କୁ ରଖିଥିଲେ ଅନୁପ । ଇତି ମଧ୍ୟରେ କଳ୍ପନା ବିବାହ ପାଇଁ ଅନୁପଙ୍କୁ ବାରମ୍ବାର କହିଛନ୍ତି । ରାଜନୈତିକ ପଦପଦବୀରେ ରହିଥିବାରୁ କ୍ୟାରିୟରରେ ଏହାର ପ୍ରଭାବ ପଡିବ ଭାବି ସେ ଏହାକୁ ଏଡାଇ ଚାଲିଥିଲେ । ମାତ୍ର କଳ୍ପନା ଦାବି କରିବାରୁ, ଅନୁପ ତାଙ୍କୁ ହତ୍ୟା କରିବା ପାଇଁ ସୁଚିନ୍ତିତ ଯୋଜନା କରିଥିଲେ । ଛତିଶଗଡଗଡରେ ବିବାହ କରିବାକୁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି କହି କଳ୍ପନାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ।

ସେଦିନ ଥିଲା ୨୦୧୬ ମସିହା ମେ ୭ ତାରିଖ । ଭୁବନେଶ୍ୱର ସୁନ୍ଦରପଦାରୁ କଳ୍ପନା ଓ ତାଙ୍କ ଝିଅଙ୍କୁ ନେଇ ଅନୁପ ଯାଇଥିଲେ ଛତିଶଗଡ । ସେଠାରେ ଏକ ହୋଟେଲରେ ମଧ୍ୟ ରହିଥିଲେ । ପୂର୍ବ ଯୋଜନା ଅନୁଯାୟୀ ରାୟଗଡ ଜିଲ୍ଲାର ହମିରପୁର ଜଙ୍ଗଲକୁ ନେଇ ଏକ ଲୁହା ରଡରେ କଳ୍ପନାଙ୍କୁ ଆକ୍ରମଣ କରିଥିଲେ । କଳ୍ପନାଙ୍କର ମୃତ୍ୟୁ ହେବା ପରେ କାଳେ ଝିଅ ବବଲୀ ଘଟଣାକୁ ବାହାରେ ପ୍ରକାଶ କରିଦେବ, ସେଥିପାଇଁ ତାଙ୍କୁ ମଧ୍ୟ ରାସ୍ତାରୁ ହଟାଇଦେଲେ । ଆଉ ଏଥିରେ ସହାୟତା କରିଥିଲେ ଅନୁପଙ୍କ ବିଶ୍ୱସ୍ତ ଡ୍ରାଇଭର । ମାରିଦେବା ପରେ ଯେପରି ଶବ କେହି ଚିହ୍ନି ନପାରିବେ, ସେଥିପାଇଁ ମାଆ ଓ ଝିଅଙ୍କ ଉପରେ ବାରମ୍ବାର ବୋଲେରୋ ଗାଡି ଚଢାଇ ମୁଣ୍ଡ ଓ ଶରୀରକୁ ବିକୃତ କରିଦେଇଥିଲେ ।

୨୦୦୬ ମେ ୭ରେ ହମିରପୁର ଜଙ୍ଗଲରୁ ମା, ଝିଅଙ୍କ ମୃତଦେହ ମିଳିବା ପରେ ତଦନ୍ତ ଚଳାଇଥିଲା ପୋଲିସ । ମୃତକଙ୍କୁ ଚିହ୍ନଟ ପାଇଁ ବିଭିନ୍ନ ରାଜ୍ୟକୁ ଯାଇ ଛାନଭିନ୍ କରିଥିଲା । ଏହି ଡବଲ ମର୍ଡର ଘଟଣାର ପ୍ରାୟ ବର୍ଷେ ପରେ ଦୁଇ ମୃତକଙ୍କ ପରିଚୟ ମିଳିଥିଲା । ମୃତ କଳ୍ପନାଙ୍କର କନଷ୍ଟେବଳ ଥିବା ଜଣେ ସଂପର୍କୀୟ ଭାଇ ସରୋଜ ଦାସ ମୃତଦେହ ଚିହ୍ନଟ କରିଥିଲେ । ସରୋଜଙ୍କଠାରୁ ସୁରାଗ ପାଇ ପୋଲିସ ତଦନ୍ତକୁ ଜୋରଦାର କରିଥିଲା । ସବୁ ଘଟଣା ଜଣାପଡିଥିଲା ଅନୁପଙ୍କ ଫୋନ କଲରୁ । ସେବେଠାରୁ ଅନୁପ ସେହି ଫୋନ ନମ୍ବରଟିକୁ ବ୍ୟବହାର କରୁଛନ୍ତି । ଅପରପକ୍ଷେ ୫ ବର୍ଷ ଧରି ରହୁଥିବା ମହିଳା ଓ ଝିଅଙ୍କ ନିଖୋଜ ସଂପର୍କରେ ଅନୁପ ଥାନାରେ କୌଣସି ଅଭିଯୋଗ ମଧ୍ୟ କରିନଥିଲେ । ଫଳରେ ପୋଲିସର ସଂଦେହ ଆହୁରି ବଢିଯାଇଥିଲା ।

ଛତିଶଗଡ ପୋଲିସ ସ୍କାନରରେ ରହିଥିଲେ ଅନୁପ । ସମସ୍ତ ତଥ୍ୟପ୍ରମାଣ ଯଥା, ଅନୁପଙ୍କ ଫିଙ୍ଗର ପ୍ରିଣ୍ଟ, ମୋବାଇଲ କଲ, ଆଦି ସଂଗ୍ରହ କରିବା ପରେ ଥାନାରେ ହାଜର ହେବାକୁ ବାରମ୍ବାର ଅନୁପଙ୍କୁ ନୋଟିସ୍ ଜାରି କରିଥିଲା ପୋଲିସ । ମାତ୍ର ନିଜ ରାଜନୈତିକ ପତିଆରା ପ୍ରଭାବରେ ସେ ହାଜର ହେଉନଥିଲେ । ଗତ ୬ ମାସ ହେଲାଣି ତାଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା ପୋଲିସ । ଶେଷରେ ସମସ୍ତ ତଥ୍ୟ ପ୍ରମାଣ ସହ କୋର୍ଟ ଅର୍ଡର ଧରି ପୋଲିସ ଅନୁପଙ୍କୁ ଉଠାଇ ନେଇଥିଲା । ପୋଲିସ ଜେରାବେଳେ ପ୍ରଥମେ ସେ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ । ମାତ୍ର ପରେ ସବୁ ସତ ମାନି ଯାଇଥିଲେ । ଏବଂ କେମିତି ହତ୍ୟା ପାଇଁ ଯୋଜନା କରିଥିଲେ, ତାହା ମଧ୍ୟ ପୋଲିସ ଆଗରେ କହିଥିଲେ ।