ସୁନା ପାଇଁ ଖୁଡିଙ୍କୁ ହତ୍ୟା : ପୁତୁରା ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ବ୍ରାହ୍ମଣିପାଲି ଗ୍ରାମରେ ଗତ ୭ ତାରିଖରେ ଜଣେ ବିଧବା ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ କୁଣ୍ଢେଇଗୋଳା ଥାନା ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ବ୍ରକ୍ଷହ୍ମଣିପାଲି ଗ୍ରାମରେ ଏକୁଟିଆ ରହୁଥିବା ବିଧବା ମହିଳା ମୋହିନୀ ଦୀପ (୬୦) ଗତ ୭ ତାରିଖ ଦିନ ଘରେ ଖିଆପିଆ କରୁଥିବା ସମୟରେ ତାଙ୍କ ପୁତୁରା ଭୁବନ ଦୀପ (୩୮) ସେଠାରେ ପହଞ୍ଚି କଥା ହୋଇଥିଲା। ମୋହିନୀ ସାମାନ୍ୟ ଅନ୍ୟମନସ୍କ ହେବା କ୍ଷଣି ଭୁବନ ଏକ ହାତୁଡିରେ ମୋହିନୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ମୋହିନୀ ତଳେ ପଡ଼ିଯିବା ପରେ ଭୁବନ ଘରେ ଥିବା ପନିକିରେ ମୋହିନୀଙ୍କ ଗଳାକାଟି ହତ୍ୟା କରିଥିଲା। ମୋହିନୀ ମରିଯାଇଥିବା ଜାଣି ଭୁବନ ମୋହିନୀ ଗଳାରେ ପିନ୍ଧିଥିବା ଦୁଇଟି ସୁନା ହାର, କାନ ଫୁଲ ଓ ନାକ ଫୁଲ ଆଦି ଖୋଲି ନେଇ ଫେରାର ହୋଇଯାଇଥିଲା। ପରଦିନ ମୋହିନୀଙ୍କ ଜ୍ୱାଇଁ ବୁଲି ଆସିଥିବା ବେଳେ ଘର କବାଟ ବନ୍ଦ ଥିବା ଓ ଭିତରେ ମୋହିନୀଙ୍କ ମୃତଦେହ ପଡ଼ିଥିବା ଦେଖି ପଡୋଶୀଙ୍କୁ ଜଣାଇବା ଦେବାସହ ଏ ସମ୍ପର୍କରେ ଥାନାକୁ ଖବର ଦେଇଥିଲା।

ସୂଚନା ପାଇ ଥାନା ଅଧିକାରୀ ନିରୁପମା ଜେନା ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତା ରେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସୁନା ଲୁଟ ଉଦ୍ଦ୍ୟେଶରେ ହତ୍ୟା କାଣ୍ଡ ଘଟିଥିବା ନିଶ୍ଚିତ ହୋଇଥିଲେ । ମୋହିନୀ ଙ୍କ ପୁତୁରା ଭୁବନ ହତ୍ୟା କରିଥିବା ଜାଣିବା ପରେ ଗତକାଲି ନିକଟସ୍ଥ ଗ୍ରାମର ଜଙ୍ଗଲ ନିକଟରୁ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ପନିକି, ହାତୁଡିକୁ ଜବତ କରାଯାଇଛି। ଏହାସହ ଅଭିଯୁକ୍ତ ଠାରୁ ୨ଟି ସୁନାମାଳ, କାନ ଫୁଲ, ଓ ନାକ ଫୁଲ ଆଦି ଜବତ କରାଯାଇଛି। ସେହିପରି ହତ୍ୟା ମାମଲାରେ ଅଭିଯୁକ୍ତ ଭୁବନକୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି ।