ବାଲିକୁଦା,ଏନ୍ଏନ୍ଏସ୍: ସ୍ୱାମୀଙ୍କୁ କୁରାଢ଼ିରେ ହାଣି ହତ୍ୟାକଲା ସ୍ତ୍ରୀ। ବୁଧବାର ବିଳମ୍ବିତ ରାତିରେ ବାଲିକୁଦା ଥାନା ଅରିଲୋ ପଞ୍ଚାୟତ ସଦେଇପୁର ଗାଁରେ ଏଭଳି ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଉକ୍ତ ଗାଁର ପିତାମ୍ବର ସାମଲଙ୍କ ସାନ ପୁଅ ସୁଶାନ୍ତ ଓରଫ କାଳିଆ(୩୦) ନିକଟସ୍ଥ ଅରିଲୋ ଗାଁର ଲକ୍ଷ୍ମୀଧର ସେଠୀଙ୍କ ଝିଅ କବିତା (୨୫)ଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ଏହାପରେ ଏମାନେ ଘରୁ ଚାଲି ଆସି ଅରିଲୋ ପଞ୍ଚାୟତ କାର୍ଯ୍ୟାଳୟ ପଛ ପାଖରେ ଥିବା ଏକ ସରକାରୀ ଜମିରେ ଅସ୍ଥାୟୀ ଘରକରି ରହିଥିଲେ। ଦମ୍ପତିଙ୍କର ୧୦ ଓ ୮ ବର୍ଷର ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ଏମାନଙ୍କ ମଧ୍ୟରେ ସବୁବେଳେ କଳି ଲାଗି ରହୁଥିବାରୁ ପିଲା ଦୁଇଟିଙ୍କୁ ଦୁଇ ବଡ଼ବାପା ଓ ବଡ଼ ମା’ ନେଇ ପାଖରେ ରଖୁଥିଲେ।
ବୁଧବାର ରାତିରେ ସ୍ୱାମୀ-ସ୍ତ୍ରୀ ସେହି ଘରେଥିଲେ। ସ୍ୱାମୀ ଶୋଇ ପଡ଼ିବା ପରେ ରାତି ପ୍ରାୟ ୨ଟା ବେଳେ କବିତା ଏକ କୁରାଢ଼ି ଆଣି କାଳିଆଙ୍କ ମୁଣ୍ଡ ଓ କାନମୁଣ୍ଡାକୁ ଶକ୍ତ ପ୍ରହାର କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ କାଳିଆଙ୍କର ମୃତ୍ୟୁ ଘଟିଥିଲା। ଏହାପରେ କୁରାଢି ନେଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲା କବିତା। ଖବର ପାଇ ବାଲିକୁଦା ଥାନାଧିକାରୀ ସର୍ବେଶ୍ୱର ବେହେରା ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରିଣୀକୁ ଥାନାକୁ ଆଣି ଅଟକ ରଖିଛନ୍ତି। ହତ୍ୟାରେ ବ୍ୟବହୃତ କୁରାଢ଼ିକୁ ମଧ୍ୟ ଜବତ କରାଯାଇଛି। ପରେ ଏସଡିପିଓ ପ୍ରିୟରଞ୍ଜନ ଶତପଥୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ। ବାଲିକୁଦା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହତ୍ୟାକାରିଣୀ କବିତା ସ୍ୱାମୀକୁ ଏକା ହତ୍ୟା କରିଛି ନା ଏଥିରେ ତାକୁ ଅନ୍ୟ କେହି ସାହାଯ୍ୟ କରିଛି ବା ସାମିଲ ଅଛି ତାକୁ ନେଇ ପୁଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଛି। ବାଲିକୁଦା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ଏସଆଇ ପିତାମ୍ବର ମୁଦୁଲି ତଦନ୍ତଭାର ବହନ କରିଛନ୍ତି।