ମୁନିଗୁଡ଼ା,ଏନ୍ଏନ୍ଏସ୍ : କେହି ଖୋଲା ଆକାଶ ତଳେ ଆଉ ରହିବେ ନାହିଁ ବୋଲି ସରକାର ଅନେକ ବାସଗୃହ ନିର୍ମାଣ କରିଛନ୍ତି। ଯାହା କେବଳ ଗରିବ ଓ ଖଟିଖିଆ ଲୋକଙ୍କ ପାଇଁ ପ୍ରଜୁଜ୍ୟ। ତେବେ ସରକାରଙ୍କ ଏହି ସ୍ଲୋଗାନ ଆଜି ଫେଲ୍ ମାରିଛି। ଆଜିବି ଜଣେ ଗରିବ ପରିବାର ଘର ଖଣ୍ଡେ ପାଇବା ପାଇଁ ଅନେକ ପ୍ରଶାସନ ଠାରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଫଳରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ଗୋଟିଏ ପରିବାର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ କୁମୁଡ଼ାବାଲି ପଞ୍ଚାୟତ ପାଖ ସାହିରେ ରହୁଥିବା ଧୋବା ପରିବାରରେ।
ପ୍ରତିଦିନ ସ୍ୱାମୀ ଲବ ସେଠୀ ଓ ତା’ ସ୍ତ୍ରୀ ଉଭୟ ମିଶି ସାହି ଭାଇଙ୍କ ମଇଳା ଲୁଗାପଟା ସଫା କରି ଦିଅନ୍ତି। ସେଥିରୁ ଯେଉଁ ୨ପଇସା ପାଆନ୍ତି ସେଥିରେ ସେମାନଙ୍କ ତେଲ ଲୁଣ ସଂସାର ଚାଲିଥାଏ। ସାତ ପୁରୁଷର ଘର ଖଣ୍ଡିକ କହିଲେ ଝାଟିମାଟି କାନ୍ଧ ଘେରା ମାଟି ଖପରର ଘର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆବାସ ଯୋଜନାରେ ଗରିବଙ୍କୁ ଥଇଥାନ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ଏମାନଙ୍କ ପାଇଁ ଆଜି ସୁଦ୍ଧା ନହେବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷା ଦିନ ଆସିଲେ ଏଇ ପରିବାରର ଛାତିରେ ଛନକା ପଶେ। ଅଧିକାଂଶ ବର୍ଷା ରାତିରେ ଘରେ ବିଷାକ୍ତ ସାପ, କଙ୍କଡ଼ା ବିଛା, ଅନ୍ୟନ ଶରୀସୃପ ଅନୁପ୍ରବେଶ କରିଥାନ୍ତି। ବେଳେ ବେଳେ ଏମାନଙ୍କ ଆକ୍ରମଣର ଶିକାର ହୋଇ ଭଗବାନଙ୍କ କୃପାରୁ ୨ପ୍ରାଣୀ ବଞ୍ôଚ ରହିଛନ୍ତି। ଏମାନେ ଦଳିତ ସମ୍ପ୍ରଦାୟର ଗରିବ ଧୋବା ଜାତିର ଲୋକ।
ଜମିବାଡ଼ି, ଚାଷବାସ ବୋଲି କିଛିନାହିଁ। ଘର ଖଣ୍ଡିଏ ପାଇବା ଆଶାରେ ସ୍ୱାମୀ, ସ୍ତ୍ରୀ ଲୋକ ପ୍ରତିନିଧିଙ୍କ ଠାରୁ ପ୍ରଶାଶନିକ ଅଧିକାରୀଙ୍କ ଠାରେ ଅନେକ ଗୁହାରୀ କରିଲେଣି। ହେଲେ ଘର ମିଳିଯିବାର ଆଶା ଦେଇଦେଇ ଚାଲିଛନ୍ତି। ସେମାନେ ଆଜି ଯାଏଁ ଜାଣି ପାରୁନାହାଁନ୍ତି ସେମାନଙ୍କୁ ଘରଟିଏ ନମିଳିବାର କାରଣ କ’ଣ? ସେ ଅଞ୍ଚଳ ଗସ୍ତ ସମୟରେ ଆମ ପ୍ରତିନିଧିଙ୍କୁ ପତିପତ୍ନୀ ଭେଟି ବଡ଼ ଆଶା ରଖି ଏହି ଦୁଃଖ ସବୁକୁ ବଖାଣିଥିଲେ। ବର୍ଷାଦିନ ଏହି ଦମ୍ପତିଙ୍କ ପାଇଁ ଅନେକ ଦୁଃଖର କାରଣ ସାଜିଥିବା ବେଳେ ଘର ଖଣ୍ଡେ ଏପର୍ଯ୍ୟନ୍ତ ନମିଳିବା ତାଙ୍କ ଜୀବନକୁ ନର୍କ ସଜେଇ ଦେଇଛି।
ଏ ବିଷୟକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ସହିତ ଯୋଗାଯୋଗ କରି ବ୍ୟର୍ଥ ହେବାରୁ ବିଡିଓଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ସେ ଏ ବିଷୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କଥାହେବେ। ଯାହା ନିଷ୍ପତ୍ତି ନିଆଯିବ ତାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ତେବେ ସରକାର ଏହି ଗରିବ ପରିବାର ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।