ମାଲକାନଗିରି,ଏନ୍ଏନ୍ଏସ୍ : ସାରା ଦେଶରେ କରୋନାର ପ୍ରତିରୋଧ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହାକୁ ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ପାଳନ କରୁଛନ୍ତି । କିନ୍ତୁ ଏହି ରୋଗକୁ ଭୟ ନ କରି ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ଓ ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ଲାଗିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତେ ଏମାନଙ୍କୁ ପ୍ରଶଂସା କରୁଛନ୍ତି । ଆମ ଦେଶ ଏବଂ ରାଜ୍ୟରେ ଆମ ଭଳି ସଫେଇ କର୍ମଚାରୀମାନଙ୍କୁ ସ୍ୱାଗତ କରାଯିବା ସହ ପ୍ରଶଂସାର ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି ।
ପୂର୍ବରୁ ଆମକୁ କେବେ ଏତେ ପରିମାଣରେ ସ୍ୱାଗତ, ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦାନ କରାଯାଇନଥିଲା । ସେଥିପାଇଁ ଆମ୍ଭେମାନେ ବହୁତ ଖୁସି । ସମସ୍ତଙ୍କ ଖୁସି ଆମେ ଚାହୁଁ । ତେଣୁ ସରକାରଙ୍କ ନିୟମମାନି ଘରୁ ବାହାରନ୍ତୁ ନାହିଁ, ପରିବେଶ ନଷ୍ଟ କରନ୍ତୁ ନାହିଁ, ମାସ୍କ କିମ୍ବା ଗାମୁଛା ମୁହଁରେ ବାନ୍ଧନ୍ତୁ, ଆବଶ୍ୟକ ନ ପଡିଲେ ବାହାରେ ବୁଲନ୍ତୁ ନାହିଁ, ଅଳିଆ ଆବର୍ଜନା ଏଣେ ତେଣେ ପକାନ୍ତୁ ନାହିଁଁ, ଦିନକୁ ୧୦ ଥର ହାତ ଧୁଅନ୍ତ, କରୋନା କଟକଣା ନିୟମକୁ ମାନି ଚଳନ୍ତୁ ବୋଲି ମାଲକାନଗିରି ପୌର ପରିଷଦର କାର୍ଯ୍ୟରତ ୧୦୦ରୁ ଉର୍ଦ୍ଧ ମହିଳା ପୁରୁଷ ସଫେଇ କର୍ମଚାରୀମାନେ ବାର୍ତା ଦେଇଛନ୍ତି ।
ଆଜି ମାଲକାନଗିରି ମୁଖ୍ୟରାସ୍ତାରେଏକ ଶୋଭା ଯାତ୍ରାରେ ଏହି ସଫେଇ କର୍ମଚାରୀ ମାନେ ନିଜକୁ ସାମାଜିକ ଦୂରତା ବଜାୟ ରଖି ହାତରେ ଫ୍ଲା କାର୍ଡ ଧରି ସହରବାସୀଙ୍କୁ ବାର୍ତା ଦେଇଛନ୍ତି ଯେ, ଆମକୁ ପ୍ରଶଂସା କରୁଥିବାରୁ ଧନ୍ୟବାଦ, ଆମ କଥା ରକ୍ଷା କରନ୍ତୁ, ନିୟମ ପାଳନ କରନ୍ତୁ, କରୋନା ଯୁଦ୍ଧରେ ଆମେ ଜିତିବା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୁୟାଁ ଉଦଘାଟନ କରିଥିବାବେଳେ ପୌର ପରିଷଦ ନିର୍ବାହୀ ଅଧିକାରୀ ଏମ୍.ନିଳକଣ୍ଠ ନାଇଡୁ ଏବଂ କର୍ମଚାରୀମାନେ ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ ।