ଦିଲ୍ଲୀ ଉପରେ ଭାରି ପଡ଼ିବ ମୁମ୍ବାଇ : ରୋହିତ ଶର୍ମା

ନୂଆଦିଲ୍ଲୀ: ଆଇପିଏଲର ତୃତୀୟ ସଂସ୍କରଣର ଫାଇନାଲ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ପଞ୍ଚମଥର ପାଇଁ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଉଥିବା ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ରୋହିତ ଶର୍ମା ଦିଲ୍ଲୀ ତୁଳନାରେ ମୁମ୍ବାଇ ଅଧିକ ଶକ୍ତିଶାଳୀ ଥିବା ଦାବି କରିଛନ୍ତି।

ଚଳିତ ସଂସ୍କରଣରେ ମୁମ୍ବାଇ ଓ ଦିଲ୍ଲୀ ୩ଥର ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇ ଲିଗ୍ ଷ୍ଟେଜରେ ଦିଲ୍ଲୀକୁ ୫ ୱିକେଟରେ ହରାଇଥିଲା। ଲିଗ୍ ଷ୍ଟେଜର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀକୁ ମୁମ୍ବାଇ ୯ ୱିକେଟରେ ହରାଇଥିଲା। ସେହିପରି କ୍ୱାଲିଫାୟର ମ୍ୟାଚରେ ଦିଲ୍ଲୀକୁ ୫୭ ରନରେ ହରାଇ ମୁମ୍ବାଇ ବିଜୟ ଧାରା ଜାରି ରଖିଥିଲା।

ରୋହିତ ଶର୍ମା କହିଛନ୍ତି ଯେ, ଦିଲ୍ଲୀ ବିରୋଧରେ ମାନସିକ ସ୍ତରରେ ଆମେ ଆଗୁଆ ରହିଛୁ। କିନ୍ତୁ ଆମେ ଜାଣିଛୁ ଆଇପିଏଲରେ ପ୍ରତ୍ୟେକ ଦିନ ନୂଆ ହୋଇଥାଏ। ପ୍ରତ୍ୟେକ ଦିନ ମ୍ୟାଚ ସମୟରେ ନୂଆ ପ୍ରକାରର ଚାପକୁ ସାମ୍ନା କରିବାକୁ ପଡ଼ିଥାଏ।

ସୂଚନାଯୋଗ୍ୟ, ରୋହିତ ଫାଇନାଲ ମ୍ୟାଚରେ ଦଳରେ ପରିବର୍ତ୍ତନ କରିବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି। ଟ୍ରେଣ୍ଟ ବୋଲ୍ଟ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ଓ ଟିମ୍ ଦିଲ୍ଲୀର ଲେଫ୍ଟ ହେଣ୍ଡ ବ୍ୟାଟ୍ସମ୍ୟାନକୁ ଦୃଷ୍ଟିରେ ରଖି ଜୟନ୍ତ ଯାଦବଙ୍କୁ ସୁଯୋଗ ମିଳିପାରେ।