ମୁମ୍ବାଇରେ ଶ୍ରମିକର ୨ ହାତକଟା ଘଟଣା: ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କଠାରେ ରିପୋର୍ଟ ତଲବ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ିର ଜଣେ ଶ୍ରମିକ କାମ କରିବା ପାଇଁ ମୁମ୍ବାଇ ଯାଇଥିବାବେଳେ ସେଠାରେ ୨ ହାତ କାଟି ଘରକୁ ଫେରିବା ଘଟଣା ଦିନକୁଦିନ ଜଟିଳ ହେବାରେ ଲାଗିଛି । ଘଟଣା ସମ୍ପର୍କରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନେଇ ଘଟଣାର ସବିଶେଷ ରିପୋର୍ଟ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ମାଗିଛନ୍ତି । ଏନେଇ ସହକାରୀ ଲେବର କମିଶନର ନିରଞ୍ଜନ ଜେନାଙ୍କ ନେତୃତ୍ୱରେ ୨ ଜଣିଆ ଟିମ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପାଇଁ ବାଲିଗୁଡ଼ା ଆସି ୨ ହାତ କଟିଥିବା ବାଲିଗୁଡ଼ା ଥାନା ଅଧୀନସ୍ଥ ଡହଲପଡ଼ିରେ ରହୁଥିବା ଅଙ୍ଗଦ ମଳିକଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ସବିଶେଷ ରିପୋର୍ଟ ସଂଗ୍ରହ କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସହକାରୀ ଲେବର କମିଶନର ଶ୍ରୀ ଜେନା ପ୍ରକାଶ କରିଛନ୍ତି । କିଛିଦିନ ପୂର୍ବେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଉକ୍ତ ପରିବାର ଲୋକଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଉକ୍ତ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ କରିଥିଲେ ।

ମିଳିଥିବା ରିପୋର୍ଟ ମୁତାବକ, ଏପ୍ରିଲ ୨୭ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହାୟତାରେ ୮ ହଜାର ଟଙ୍କା ଅଗ୍ରିମ ନେଇ ଅଙ୍ଗଦ ମଳିକ ଶ୍ରମିକ ଭାବେ କାମ କରିବା ପାଇଁ ମହାରାଷ୍ଟ୍ରର ମୁମ୍ବାଇକୁ ବାହାରିଥିଲେ । କିନ୍ତୁ ସେଠାକୁ ଯିବା ପରେ ଅଙ୍ଗଦର କୌଣସି ସୂଚନା ମିଳିନଥିବାରୁ ପରିବାର ଲୋକ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ବାଲିଗୁଡ଼ା ପୁଲିସ ତଦନ୍ତ ପରେ ଅଙ୍ଗଦ ଗୁଜୁରାଟରେ ଏକ ଘରୋଇ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ରହି ଚିକିତ୍ସା ହେଉଥିବା ସୂଚନା ପାଇଥିଲା । ପରେ ପରିବାର ଲୋକେ ଅଙ୍ଗଦକୁ ଯାଇ ଆଣିଥିଲେ । ସେତେବେଳେ ଅଙ୍ଗଦର ୨ ହାତ କଟି ଯାଇଥିବା ଦେଖି ସ୍ତବ୍ଧ ହୋଇ ଯାଇଥିଲେ ।