କରୋନା ମାଡରେ ଶିବା ମଲ୍ଟିପ୍ଲେକ୍ସ ପାଲଟିଲା ଶାଢ଼ୀ ଦୋକାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦିନେ ଯେଉଁଠି ସିନେମା ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଥିଲା ଆଜି ସେଠି ରଙ୍ଗ ବେରଙ୍ଗି ସାଢ଼ୀ କିଣିବା ପାଇଁ ମହିଳାମାନଙ୍କ ଭିଡ ଜମୁଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବେହେରାମାଲ ସ୍ଥିତ ଶିବା ମଲ୍ଟିପ୍ଲେକ୍ସରେ। କରୋନା ମାଡ଼ରେ ଝାରସୁଗୁଡ଼ା ସହରର ଏହି ପ୍ରଥମ ମଲ୍ଟିପ୍ଲେକ୍ସ ଆଜି ତାର ଅସ୍ତିତ୍ୱ ହରାଇ ବସିଛି। କରୋନା ମହାମାରୀ ପୂର୍ବରୁ ଏହି ସିନେମା ହଲରେ ଲୋକଙ୍କ ବେଶ ଭିଡ଼ ଜମୁଥିଲା। ହେଲେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ସିନେମା ହଲ ବନ୍ଦ କରିବା ପରଠୁ ଏହି ମଲ୍ଟିପ୍ଲେକ୍ସ ଆଜକୁ ୮ ମାସ ହେଲାଣି ବନ୍ଦ ପଡି ରହିଛି। ଫଳରେ ହଲ ମାଲିକ ବହୁ କ୍ଷତି ସହିଛନ୍ତି।

ସିନେମା ହଲରେ କାମ କରୁଥିବା କର୍ମଚାରୀଙ୍କୁ ଦରମା, ବିଦ୍ୟୁତ ବିଲ, ବ୍ୟାଙ୍କ ଇଏମଆଇ ସହିତ ଓ ମଲ୍ଟିପ୍ଲେକ୍ସର ରକ୍ଷଣାବେକ୍ଷଣ ଖର୍ଚ୍ଚ ତୁଲାଇବା ପାଇଁ ମାଲିକ ପ୍ରତାପ ବେହେରା ଏହାକୁ ଶାଢ଼ୀ ଦେକାନିକୁ ଭଡ଼ାରେ ଦେଇଛନ୍ତି। ଏନେଇ ଶ୍ରୀ ବେହେରାଙ୍କୁ ପଚାରିବାରୁ ସରକାର ଗତ ମାସ ୨୫ ତାରିଖରେ ସିନେମା ହଲ ଗୁଡ଼ିକୁ ଖୋଲିବାକୁ ଘୋଷଣା କରିଥିଲେ। କିନ୍ତୁ ତାହା କଲେ ନାହିଁ। ଫଳରେ ମଲ୍ଟିପ୍ଲେକ୍ସର ଖର୍ଚ୍ଚ ଉଠାଇବାକୁ ସିନେମା ହଲକୁ ଶାଢ଼ୀ ଦୋକାନରେ ଭଡ଼ାରେ ଲଗାଇଥିବା ଶ୍ରୀ ବେହେରା କହିଛନ୍ତି। ସରକାର ଶୀଘ୍ର ସିନେମା ହଲ ଖୋଲିବାକୁ ନିର୍ଦ୍ଦେଶ ଜାରି କରନ୍ତୁ ଅଥବା ତାଙ୍କ ପରି ହଜାର ହଜାର ସିନେମା ହଲ ମାଲିକ ରୋଜଗାର ପନ୍ଥା ହରାଇବେ ବୋଲି ସେ କହିଛନ୍ତି।