କେଜରିୱାଲଙ୍କ ଶପଥ ଉତ୍ସବରେ ମନ ଜିଣିଲେ ‘ମଫଲରମ୍ୟାନ୍’

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବେବି ମଫଲରମ୍ୟାନର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ରବିବାର ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଏହି ବେବି ମଫଲରମ୍ୟାନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାମଲୀଳା ମୈଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବେବି ମଫଲରମ୍ୟାନ୍ ଆଭ୍ୟାନ ତୋମାର କେଜରିୱାଲଙ୍କ ଷ୍ଟାଇଲ୍ରେ ପୋଷାକ ପରିଧାନ କରି ସମସ୍ତଙ୍କ ମନ ଜିଣିଥିଲେ। ଆପର ଟ୍ୱିଟର୍ ହ୍ୟାଣ୍ଡେଲରେ ଏହି ଫଟୋ ଶେୟାର କରାଯାଇଛି।

ଆଭ୍ୟାନଙ୍କ ମୁଣ୍ଡରେ ଆପର ସଙ୍କେତ ବହନ କରୁଥିବା ଟୋପି, କେଜରିୱାଲଙ୍କ ଷ୍ଟାଇଲ୍ର ଭି-ନେକ୍ ଥିବା ମେରୁନ୍ ରଙ୍ଗର ସ୍ୱେଟର ଓ ମଫଲର ବେଶ୍ ଆକର୍ଷଣୀୟ ହୋଇଥିଲା। ଆପର ନବନିର୍ବାଚିତ ବିଧାୟକ ରାଘବ ଚଢ୍ଢା ବେବି ମଫଲରମ୍ୟାନଙ୍କ ସହ ସେଲ୍ଫି ନେଇଥିଲେ। ଏହି ସମୟରେ ଶପଥ ଗ୍ରହଣ ସମାରୋହର ଆଗଧାଡ଼ିରେ ବସିଥିବା ଅତିଥି ତଥା ନବନିର୍ବାଚିତ ବିଧାୟକମାନେ ବେବି ମଫଲରମ୍ୟାନଙ୍କ ସହ ହ୍ୟାଣ୍ଡସେକ୍ କରିବା ଦେଖାଯାଇଥିଲା।