ଦେବଗଡ଼,ଏନ୍ଏନ୍ଏସ୍: ଭୋଟର ସଚେତନତା ଓ ନୂତନ ଭୋଟର ନାମ ପଞ୍ଜିକରଣ ଉଦ୍ଦେଶ୍ୟ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଜି ‘ମୁଁ ଭି ମିତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରୀଙ୍କୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇବା ସହ ପ୍ରତ୍ୟକ ଛାତ୍ରୀ ଜଣେ ଜଣେ ସ୍ୱେଛାସେବୀ ଭାବେ ନିଜ, ନିଜ ପରିବାର, ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ ଦାୟିତ୍ୱବାନ ଭୋଟର ଭାବେ ଉତ୍ସାହିତ କରିବା ସହ ଭୋଟର ତାଲିକାରେ ସେମାନଙ୍କ ନାମ ପଞ୍ଜିକରଣ ଓ ତ୍ରୁଟି ସଂଶୋଧନ ଆଦି କାର୍ଯ୍ୟ ତୁଲାଇବାକୁ ପରାମର୍ଶ ଦେଇଥିଲେ । ସେହିପରି ‘ମୁଁ ଭି ମିତା’ ଭଳି ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଡେପୁଟି କଲେକ୍ଟର ସପନ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲାରେ ଆଜିପର୍ଯ୍ୟନ୍ତ ୧ଲକ୍ଷ ୨୨ହଜାର ୨୭୮ ପୁରୁଷ, ୧ଲକ୍ଷ ୨୦ ହଜାର ୮୩୫ ମହିଳା ଓ ୧୧ଜଣ ଟ୍ରାନ୍ସଜେଣ୍ଡର ମୋଟ ୨ଲକ୍ଷ ୪୩ ହଜାର ୧୨୪ ଭୋଟର ସେମାନଙ୍କ ନାମ ପଞ୍ଜିକରଣ କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ଓ ନିର୍ବାଚନ କାର୍ଯ୍ୟାଳୟର ସୌମିତ୍ରୀ ପ୍ରସାଦ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।