କୃଷି ବିଲକୁ ନେଇ ମୋଦୀଙ୍କ ସଫେଇ : ପୂର୍ବଭଳି ଜାରି ରହିବ ଏମଏସପି ଓ କୃଷକଙ୍କୁ ବାଟବଣା କରୁଛି ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହୋଇଥିବା ୨ଟି କୃଷି ବିଲକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଆଉ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଲକୁ ନେଇ ବୟାନ ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ‘ମୁଁ ଦେଶର ଜନତା, କୃଷକ ଓ ଦେଶର ଉଜ୍ଜଳ ଭବିଷ୍ୟତକୁ ନେଇ ଆଶ୍ୱସ୍ତ ଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଉଛି। କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନ ପ୍ରସ୍ତୁତ କରାଯାଇଛି। ଏହି ଆଇନ ଦ୍ୱାରା କୃଷକଙ୍କ ଉପରେ କୌଣସି ଅଟକଳ ଲଗାଯାଇ ପାରିବ ନାହିଁ।’

ମୋଦୀ ଆହୁରି କହିଛନ୍ତି ଯେ, ‘ମୁଁ ସମସ୍ତ କୃଷକଙ୍କୁ ଆଶ୍ୱାସନା ଦେଉଛି କି ଏମଏସପି ବ୍ୟବସ୍ଥା ପୂର୍ବରୁ ଯେପରି ଥିଲା ଏବେବି ସେମିତି ରହିବ। ଆଉ ପୂର୍ବରୁ ପ୍ରତ୍ୟେକ ଋତୁରେ ସରକାରୀ ଖରିଦ ପାଇଁ ଯେଉଁଭଳି ଅଭିଯାନ କରାଯାଉଥିଲା ତାହା ଏବେ ମଧ୍ୟ କରାଯିବ।’

ଅନ୍ୟପଟେ ବିପକ୍ଷ ଦଳକୁ ଅଙ୍ଗୁଳି ନିର୍ଦ୍ଦେଶ କରି ମୋଦୀ କହିଛନ୍ତି ଯେ, ‘କୃଷି କ୍ଷେତ୍ରରେ ଏହି ଐତିହାସିକ ପରିବର୍ତ୍ତନ ହେବା ପରେ କିଛି ଲୋକଙ୍କୁ ନିଜ ହାତରୁ ନିୟନ୍ତ୍ରଣ ଯାଉଥିବା ଦେଖାଦେଉଛି। ସେଥିପାଇଁ ସେମାନେ ଏବେ ଏମଏସପିକୁ ଆଧାର କରି କୃଷକଙ୍କୁ ବାଟବଣା କରିବାକୁ ପ୍ରୟାସ ଚଲାଇଛନ୍ତି। ଏହି ଆଇନ କୃଷି ମଣ୍ଡିର ବିରୋଧୀ ନୁହେଁ।’