ବିଭିନ୍ନ ଫସଲର ଏମଏସପି ବଢ଼ାଇଲେ କେନ୍ଦ୍ର ସରକାର, ଧାନଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ : କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଦୀପାବଳି ପୂର୍ବରୁ କୃଷକମାନଙ୍କୁ ଏକ ବଡ଼ ଉପହାର ସ୍ୱରୂପ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିଛନ୍ତି । ବୁଧବାର ଅନୁଷ୍ଠିତ କେନ୍ଦ୍ରମନ୍ତ୍ରୀମଣ୍ଡଳ ବୈଠକରେ ରବିଋତୁ ପାଇଁ ଗହମର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୮୫ ଟଙ୍କା ବୃଦ୍ଧି କରାଯାଇଛି ।

ସେହିପରି ସରକାର ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ୩୨୫ ଟଙ୍କା ବୃଦ୍ଧି କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ବିଷୟରେ ନିଷ୍ପତ୍ତି ନିଆଯାଇଛି।ରବି ଫସଲର ମୂଲ୍ୟ ବୃଦ୍ଧି ନେଇ କୃଷି ବିନିଯୋଗ ଏବଂ ମୂଲ୍ୟ ଆୟୋଗ ସୁପାରିସ କରିଥିଲେ।

ବୈଠକର ନିଷ୍ପତ୍ତି ଅନୁସାରେ ଗହମର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୮୫ ଟଙ୍କା ବୃଦ୍ଧି କରାଯାଇ ୧୯୨୫ଟଙ୍କା ଧାର୍ୟ୍ୟ କରାଯାଇଛି। ପୂର୍ବରୁ ଏହି ଦର ୧୮୪୦ ଟଙ୍କା ଥିଲା । ଯଅର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ୮୫ ଟଙ୍କା ବୃଦ୍ଧି କରାଯାଇ ୧୫୨୫ଟଙ୍କା ଧାର୍ୟ୍ୟ କରାଯାଇଛି ।

ସେହିପରି ମସୁର ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ୩୨୫ ଟଙ୍କା ବୃଦ୍ଧି କରାଯାଇ ୪୪୭୫ଟଙ୍କା କରାଯାଇଛି। ଚଣାର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୫ ଟଙ୍କା, ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୫ ଟଙ୍କା ଓ କୁସୁମର ସର୍ବନିମ୍ନ ସହାୟକ ମୂଲ୍ୟ ୨୭୦ ଟଙ୍କା ବୃଦ୍ଧି କରାଯାଇଛି। ୨୦୧୯-୨୦ ରବି ଫସଲ ଅମଳ ଋତୁରେ ଏହା ଲାଗୁ ହେବ।