ସଡ଼କ ସୁରକ୍ଷା ପାଇଁ ସାଂସଦଙ୍କ ବୈଠକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠିରେ ଆଜି ସଡ଼କ ସୁରକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରଗଡ଼ ସାସଂଦ ସୁରେଶ ପୂଜାରୀ, ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସ, ଅତିରିକ୍ତ ଜିଲ୍ଲାପାଳ ଲିଲି କୁଲ୍ଲୁ, ଝାରସଗୁଡ଼ା ବିଧାୟକଙ୍କ ପ୍ରତିନିଧି ସନ୍ଦିପ ଅବସ୍ତି, ବ୍ରଜରାଜନଗର ବିଧାୟକଙ୍କ ପ୍ରତିନିଧି ବିଶ୍ୱନାଥ ନାୟକ, ଝାରସୁଗୁଡ଼ା ମୋଟର ଭାଇକିଲ ଇନ୍ସପେକ୍ଟର ଜନ୍ମଜୟ ନାୟକ ପ୍ରମୁଖ ଉପସ୍ଥିତ ରହଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କିପରି ଦୁର୍ଘଟଣା ତଥା ଦୁର୍ଘଟଣାଜନିତ ଧନଜୀବନ ହାନୀକୁ ରୋକିହେବ ସେ ବିଷୟରେ ଆଲୋଚନା କରାଯାଇଥିଲା। ସମସ୍ତେ ଟ୍ରାଫିକ ନିୟମ ଅବଲମ୍ବନ କଲେ ଜିଲ୍ଲାରେ ଦୁର୍ଘଟଣା ବହୁ ମାତ୍ରାରେ ହ୍ରାସ ପାଇବା ସହ ଅନେକ ଧନଜୀବନ ହାନୀ ହେବାରୁ ବଞ୍ଚିଯିବ। ତେଣୁ ଲୋକଙ୍କ ମନରେ ଏଥିପ୍ରତି ସଚେତନତା ଆଣି ଟ୍ରାଫିକ ନିୟମ ପାଳନକୁ କଡ଼ାକଡ଼ି କରାଯାଉ ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି। ସେହିପରି ଝାରସୁଗଡ଼ା ଏକ ଖଣି ତଥା ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାରୁ ଏଠାରେ କିପରି ପ୍ରଦୂଷଣକୁ ରୋକିହେବ ସେ ବିଷୟରେ ଆଲୋଚନା କରାଯାଇଛି। ପ୍ରଦୂଷଣ ମୁକ୍ତ ଝାରସୁଗୁଡା ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକ ଯେପରି ସମସ୍ତ ନୀତି ନିୟମକୁ ପାଳନ କରିବେ ଏବଂ ପ୍ରତିବର୍ଷ କିପରି ଅଧିକରୁ ଅଧିକ ବୃକ୍ଷ ରୋପଣ କରିପାରିବେ ସେନେଇ ଧ୍ୟାନ ଦେବା ପାଇଁ ସାଂସଦ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି।