ନୂଆ ଶିକ୍ଷା ନୀତିକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ: ବଦଳିଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୋଦୀ ସରକାର ନୂତନ ଶିକ୍ଷା ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିସହିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରାଯାଇ ଶିକ୍ଷା ମନ୍ତ୍ରାଣାଳୟ ରଖାଯାଇଛି।

ନୂତନ ଶିକ୍ଷା ନୀତି ମୁତାବକ, ଆଗାମୀ ଦିନରେ ୩୦ଜଣ ଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ରହିବେ। ଏହାଦ୍ୱାରା କାହାଣୀ, ରଙ୍ଗମଞ୍ଚ, ସାମୁହିକ ପାଠ୍ୟକ୍ରମ, ଚିତ୍ର ଡିସପ୍ଲେ, ଭାଷା ଓ ଗଣିତ ଉପରେ ମଧ୍ୟ ଜୋର ଦିଆଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ବଜେଟରେ ନୂଆ ଶିକ୍ଷା ନୀତିକୁ ଘୋଷଣା କରିଥିଲେ। ଏହି ନୂତନ ଶିକ୍ଷା ନୀତି ଆଧାରରେ ଶିକ୍ଷାକୁ ନୂଆ ଦିଶା ମିଳିବ। ଏଥିସହିତ ଯୁବାଙ୍କୁ ଶିକ୍ଷା କ୍ଷେତ୍ରରେ ନୂଆ ଅବସର ମିଳିବ ଓ ରୋଜଗାର କ୍ଷେତ୍ରରେ ମଧ୍ୟ ସୁଯୋଗ ସୃଷ୍ଟି ହେବ।