ସାଂସଦଙ୍କ ବ୍ରଜରାଜନଗର ଓ ବେଲପାହାଡ଼ ରେଳ ଷ୍ଟେସନ ପରିଦର୍ଶନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ୨ ପ୍ରମୁଖ ରେଳ ଷ୍ଟେସନ ବ୍ରଜରାଜନଗର ଓ ବେଲପାହାଡ଼କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ପରିଦର୍ଶନ କରିଛନ୍ତି। ଉଭୟ ରେଳ ଷ୍ଟେସନର ସ୍ଥିତି ବୁଲି ଦେଖିବା ସହ ଏଠାକାର ବିକାଶ ପାଇଁ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ବିଳାସପୁର ରେଳ ମଣ୍ଡଳ ଅଧୀନରେ ଥିବା ବ୍ରଜରାଜନଗର ଓ ବେଲପାହାଡ଼ ରେଳ ଷ୍ଟେସନ ରେଳବାଇକୁ ବିପୁଳ ପରିମାଣର ରାଜସ୍ୱ ଦେଉଥିଲେ ହେଁ ଏଠାରେ ଆଖିଦୃଶିଆ ବିକାଶ ହେଉନାହିଁ। କାରଣ ଝାରସୁଗୁଡ଼ା ଜିଲ୍ଲାରେ ଥିବା ରେଳଧାରଣା ଗୁଡ଼ିକ ୩ଟି ଡିଭିଜନରେ ବିଭାଜିତ ହୋଇ ରହିଛି। ଝାରସୁଗୁଡ଼ା ରୋଡ ଏବଂ କିଛି ଅଂଚଳ ଇଷ୍ଟକୋଷ୍ଟ ରେଳବାଇର ସମ୍ବଲପୁର ଡିଭିଜନରେ ଥିବାବେଳେ ଝାରସୁଗୁଡ଼ା ଷ୍ଟେସନ ସାଉଥ ଇଷ୍ଟର୍ଣ୍ଣ ରେଳବାଇ ଚକ୍ରଧରପୁର ରେଳବାଇ ଡିଭିଜନରେ ଆସୁଛି। ସେହିପରି ବ୍ରଜରାଜନଗର ଓ ବେଲପାହାଡ଼ ସାଉଥ ଇଷ୍ଟର୍ଣ୍ଣ ସେଣ୍ଟ୍ରାଲ ରେଳବାଇ ବିଲାସପରୁ ଡିଆରଏମ ଅଧୀନରେ ଆସୁଛି। ଫଳରେ ରେଳବାଇ ପକ୍ଷରୁ ଏଠାରେ ବିକାଶମୂଳକ କାର୍ଯ୍ୟ କରାଯାଉ ନାହିଁ। ତେଣୁ ଝାରସୁଗୁଡ଼ାରେ ଏକ ସ୍ୱତନ୍ତ୍ର ରେଳବାଇ ଡିଭିଜନ କରିବା ପାଇଁ ରେଳମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିବା ଶ୍ରୀ ପୂଜାରୀ କହିଛନ୍ତି।

ସେହିପରି ବେଲପାହାଡ଼ ରେଳ ଫାଟକରେ ଓଭରବ୍ରିଜ କିମ୍ବା ଅଣ୍ଡରବ୍ରିଜ ନିର୍ମାଣ, ଷ୍ଟେସନ ନିକଟରେ ଥିବା ଅଣ୍ଡରବ୍ରିଜରେ ଭରି ରହୁଥିବା ପାଣିର ନିଷ୍କାସନ ବ୍ୟବସ୍ଥା, ବେଲପାହାଡ଼ ଫାଟକ ନିକଟରେ ଯାତ୍ରୀଙ୍କୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ ସେଡର ବ୍ୟବସ୍ଥା, ରେଳ ଷ୍ଟେସନକୁ ଯିବା ପାଇଁ ଭିନ୍ନକ୍ଷମ ତଥା ବୃଦ୍ଧଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟର ବ୍ୟବସ୍ଥା ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଲାଗି ଲୋକେ ଦାବି କରିଛନ୍ତି। ଅନ୍ୟପଟେ କୋଭିଡ ପୂର୍ବରୁ ଏହି ୨ ରେଳ ଷ୍ଟେସନରେ ରହୁଥିବା ସମସ୍ତ ରେଳର ରହଣୀ, ବେଲପାହାଡ଼ରେ ସାଉଥ ବିହାର ଟ୍ରେନର ରହଣୀ, ରାଇଗଡ଼-ବିଲାସପୁର ପେସେଞ୍ଜର ଟ୍ରେନର ଝାରସୁଗୁଡ଼ା ଯାଏଁ ଚଳାଚଳ ଆଦି ଅଂଚଳବାସୀ ଦାବି କରିଛନ୍ତି। ଏହି ଅବସରରେ ବିଲାସପୁର, ରାଇଗଡ଼, ବ୍ରଜରାଜନଗର, ବେଲପାହାଡ଼ରେଳବାଇ କର୍ତୃପକ୍ଷ, ବେଲପାହାଡ଼ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଘୁନନ୍ଦନ ପଣ୍ଡା, ତପନ କାନ୍ତ ଜେନା ଓ ଭାସ୍କର ପଟେଲ ପ୍ରମୁଖଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।