ଅଫିସ୍ ସିଲ୍ ହେବାପରେ ପ୍ରତିକ୍ରିୟା ରଖିଲେ ସାଂସଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ ଅଫିସ୍ ସିଲ୍ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାଳିଥିବାରୁ ୧୫ ଦିନ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତାଙ୍କ ଅଫିସ୍ ସିଲ୍ କରାଯାଇଛି।

ସିଲ୍ ଅଫିସ ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀ ଡକାଇ ଅପରାଜିତା ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଏହି ଅବସରରେ ଅପରାଜିତା ୧୭ଟି ଫଟୋ ଓ ଗୋଟିଏ ଭିଡିଓ ଦେଖାଇଥିଲେ। ଆଉ ଉକ୍ତ ଫଟୋ ଓ ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବି ବୋଲି କହିଥିଲେ। ୧୧ ବର୍ଷର ଆଇଏଏସ୍ ଚାକିରି ଛାଡ଼ି କେବଳ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ରାଜନୀତିକୁ ଆସିଛି। ମୋର ଆଉ କୌଣସ ସ୍ୱାର୍ଥ ନାହିଁ। ପ୍ରଧାନମନ୍ତ୍ରୀ କୋଭିଡ ନିୟମ କରିଛନ୍ତି ଆମେ ସମସ୍ତେ ପାଳନ କରିବା। ଏତଦବ୍ୟତୀତ ଅପରାଜିତା ବିଜେଡିକୁ ଘେରିବାକୁ ମଧ୍ୟ ଭୁଲିନଥିଲେ। କୋଭିଡ ନିୟମ ଉଲ୍ଲଂଘନ କରୁଥିବା ବିଜେଡି ନେତା ଓ ବିଧାୟକଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶ୍ନ କରିଥିଲେ।