ଏମ୍‌ପି ଫ୍ଲୋର ଟେଷ୍ଟ ପ୍ରସଙ୍ଗ: କମଳନାଥ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ

ଭୋପାଳ,ଏଜେନ୍ସି: କମଲନାଥ ସରକାରକୁ ସୁପ୍ରିମକୋର୍ଟଙ୍କ ଛାଟ। ଶୁଣାଣି ସମୟରେ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ। ମଧ୍ୟପ୍ରଦେଶ ବିଧାନସଭାରେ ତତ୍କାଳ ଫ୍ଲୋର ଟେଷ୍ଟ ଦାବି କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହାର ଶୁଣାଣି କରି କୋର୍ଟ ମଙ୍ଗଳବାର ନୋଟିସ ଜାରି କରିଛନ୍ତି। ଏବେ ଏହା ଉପରେ ବୁଧବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଇତି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବର୍ତ୍ତମାନର ରାଜ୍ୟ ସରକାର ଭାଙ୍ଗିବା ନିଶ୍ଚିତ ବୋଲି ଦାବି କରିଛନ୍ତି। ବିଜେପି ପାଖରେ ସରକାର ଗଢ଼ିବା ପାଇଁ ଆବଶ୍ୟକତାଠାରୁ ଯଥେଷ୍ଟ ସଂଖ୍ୟାରେ ବିଧାୟକ ଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲାଜୀ ଟଣ୍ଡନକୁ ଚିଠି ଲେଖି ବିଧାୟକଙ୍କୁ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ କରିଛନ୍ତି। କଂଗ୍ରେର ବରିଷ୍ଠ ନେତା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ବେଙ୍ଗାଲୁରରେ ଥିବା ବିଧାୟକମାନଙ୍କୁ ପ୍ରଥମେ ଆଣିବା ପାଇଁ କଂଗ୍ରେସ ନେତାମାନେ ଦାବି କରିଛନ୍ତି। ସେପଟେ କଂଗ୍ରେସ ବିଦ୍ରୋହୀ ବିଧାୟକମାନେ ଏହି ଅଭିଯୋଗକୁ ଖଣ୍ଡନ କରି ନିଜ ଇଚ୍ଛାରେ ବେଙ୍ଗାଲୁରୁରେ ଥିବାକଥା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାସହ ସେମାନେ କମଲନାଥ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ୨୨ ଜଣ ବିଧାୟକ ଇସ୍ତଫା ଦେଇଥିବା ବେଳେ କେବଳ ଛଅ ଜଣ ମନ୍ତ୍ରୀଙ୍କ ଇସ୍ତଫା କାହିଁକି ଗ୍ରହଣ କରାଗଲା ବୋଲି ବିଧାୟକମାନେ ପ୍ରଶ୍ନ ଉଠାଇଛନ୍ତି।

କରୋନା ଭାଇରସକୁ ଅସ୍ତ୍ର କରି କମଲନାଥ ସରକାର ମଧ୍ୟପ୍ରଦେଶ ବିଧାନସଭାକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଏହାକୁ ବିରୋଧ କରିବା ସହ ମଧ୍ୟପ୍ରଦେଶ ବିଜେପି ରାଜ୍ୟପାଳଙ୍କୁ ଭେଟି ତୁରନ୍ତ ବହୁମତ ସାବ୍ୟସ୍ତ କରିବାକୁ ଦାବି ଜଣାଇଥିଲେ। ରାଜ୍ୟପାଳ ମଧ୍ୟ ଆଜି ଫ୍ଲୋର ଟେଷ୍ଟ କରିବାକୁ ନିର୍ଦେଶ ଦେଇଥିଲେ। ସେପଟେ ସୁପ୍ରିମକୋର୍ଟରେ ବିଜେପି ପକ୍ଷରୁ ହୋଇଥିବା ମାମରେ କଂଗ୍ରେର କେହି ଉପସ୍ଥିତ ନଥିବାରୁ ଆସନ୍ତା କାଲି ଉପସ୍ଥିତ ରହିବାକୁ କମଲ ନାଥ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ। ଆସନ୍ତାକାଲି ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ରହିଛି ସମସ୍ତଙ୍କ ନଜର।