ଚାଲି ଚାଲି ତାରାତାରିଣୀଙ୍କ ଦର୍ଶନ କଲେ ସାଂସଦ ଅପରାଜିତା, ପ୍ରଶାସନ ରଖିଲା ସ୍ପଷ୍ଟୀକରଣ

ବ୍ରହ୍ମପୁର,ଏନ୍ଏନ୍ଏସ୍: ପାଦରେ ଚାଲିଚାଲି ମାଆ ତାରାତାରିଣୀଙ୍କ ପୀଠରେ ପହଞ୍ଚିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ତାଙ୍କ ସମର୍ଥକ ତଥା ଦଳୀୟ କର୍ମୀ। ମା’ଙ୍କ ପର୍ବତ ଶିଖରକୁ ଯିବା ପାଇଁ ରହିଥିବା ଘାଟି ପାହାଡିଆ ରାସ୍ତାରେ ଗାଡି ନେଇ ଯିବାକୁ ପ୍ରଶାସନ ଅନୁମତି ନଦେବାରୁ ସାଂସଦ ଚାଲି ଚାଲି ଯାଇ ମାଙ୍କ ଆଶିଷ ନେଇଛନ୍ତି। ସାଂସଦଙ୍କ ଗାଡିକୁ ପାହାଡ ଉପରକୁ ଛଡାନଯିବାରୁ ଏହାକୁ ନେଇ ସମର୍ଥକଙ୍କ ମଧ୍ୟର ଅସନ୍ତୋଷ ଦେଖାଯାଇଥିଲା। ଏହାସହ ଏହାକୁ ନେଇ ରାଜନୈତିକ ଷଡଯନ୍ତ୍ର ବୋଲି ସମର୍ଥକ ମାନେ ଅଭିଯୋଗ କରିଛନ୍ତି।

ସେପଟେ ସାଂସଦ ଅପରାଜିତା କହିଛନ୍ତି ମାଙ୍କ ଦର୍ଶନ ପାଇଁ ବହୁତ ଇଛା ଥିଲା। ଏହି ଜିଲ୍ଲାରେ ମୁଁ ଚାକିରୀ ମଧ୍ୟ କରୁଥିଲି। ତପସ୍ୟା ନକଲେ ମାଙ୍କ ଆଶିଷ ମିଳେ ନାହିଁ । ଗଞ୍ଜାମ ବିକାଶ ମଞ୍ଚର ନିମନ୍ତ୍ରଣକ୍ରମେ ଆସିଛି। ଏହାସହ ଗାଡି ଛଡା ନଯିବା ପ୍ରଶ୍ନରେ ସାଂସଦ ଷଡଙ୍ଗୀ କହିଛନ୍ତି କାହା ପ୍ରତି କୌଣସି ଅଭିଯୋଗ ନାହିଁ। କୌଣସି ଅଭିଯୋଗ କି ଅସୁବିଧା ନାହିଁ। ଯାହା ହୋଇଛି ସମସ୍ତେ ଜାଣନ୍ତି ବୋଲି କହିଛନ୍ତି।

ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଟ୍ବିଟ ଯୋଗେ ସ୍ପଷ୍ଟିକରଣ ଦେଇଛି। ଜିଲ୍ଲା ପ୍ରଶାସନ କହିଛି, ଭୁବନେଶ୍ବର ସାଂସଦ ମା ତାରାତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଦୁଇଟି ଗାଡି ନେଇ ଯିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସାଂସଦ ଏହାକୁ ପ୍ରତ୍ୟାଖାନ କରି ଚାଲି ଚାଲି ଯାଇଥିଲେ। ଗାଡି ଛଡାନଯିବା ପ୍ରସଙ୍ଗରେ ଯେଉଁଖବର ପ୍ରସାରଣ ହେଉଛି କି ପ୍ରସାରିତ ହୋଇଛି ତାହା ମିଥ୍ୟା।