ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଭେଟିଲେ ଅପରାଜିତା, ପୁରୁଣା ସ୍ମୃତିକୁ ମନେପକାଇଲେ ଦୁଇ ବ୍ୟାଚ୍‌ମେଟ୍

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଶନିବାର ନୂଆଦିଲ୍ଲୀ ଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଦୁଇ ହେଭିୱେଟ୍‌ଙ୍କ ମଧ୍ୟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥିସହ ଦୁଇଜଣ ଆଇଏଏସ୍ ବ୍ୟାଚ୍‌ମେଟ୍ ହୋଇଥିବାରୁ ପୁରୁଣା ଦିନର ସ୍ମୃତିକୁ ମଧ୍ୟ ମନେପକାଇଥିଲେ। ଭେଟଘାଟ ସମୟର ଫଟୋ ସେୟାର କରିବା ସହ ଅପରାଜିତା ଟ୍ୱିଟ୍‌କରି ଏ ବାବଦରେ ଜଣାଇଛନ୍ତି। ପ୍ରିୟ ବନ୍ଧୁ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବେଶ୍ ଖୁସି ଅନୁଭବ କଲି। ଦୁଇଜଣ ପୁରୁଣା ଦିନକୁ ମନେପକାଇ ମନଖୋଲି ହସିଲୁ ବୋଲି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସାଂସଦ ଲେଖିଛନ୍ତି।

ସୂଚନାଯୋଗ୍ୟ, ଅପରାଜିତା ଏବଂ ଅଶ୍ୱିନୀ ଉଭୟେ ୧୯୯୪ ବ୍ୟାଚ୍‌ର ଆଇଏଏସ୍। ଏକା ସାଙ୍ଗରେ ଆଇଏଏସ୍ ଟ୍ରେନିଂ ନେବାସହ ଉଭୟଙ୍କୁ ସମାନ କ୍ୟାଡର ଅର୍ଥାତ୍ ଓଡ଼ିଶାରେ ନିଯୁକ୍ତି ମିଳିଥିଲା। ଯୋଗକୁ ଉଭୟେ ବ୍ୟୁରୋକ୍ରାଟ୍ ପଦବୀ ଛାଡ଼ି ରାଜନୀତିରେ ପ୍ରବେଶ କରିଛନ୍ତି ଏବଂ ଆଜି ସମାନ ଦଳରେ ରହି ଗୁରୁଦାୟିତ୍ୱ ତୁଲାଉଛନ୍ତି। ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭାକୁ ପଠାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାସହ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରିଛି। ଅନ୍ୟପଟେ ଅପରାଜିତା ଲୋକସଭାକୁ ନିର୍ବାଚିତ ହୋଇ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭୂମିକା ତୁଲାଉଛନ୍ତି। ଏହି ଭେଟଘାଟ ଅବସରରେ ଅପରାଜିତା ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ରାଜ୍ୟପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସାହାଯ୍ୟ ଲୋଡ଼ିଥିବା ବେଳେ ନିଜ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।