ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍ଥାନୀୟ ନିଯୁକ୍ତି ଦାବିରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଛୁଆଲିବେର୍ଣ୍ଣା ଗ୍ରାମବାସୀ ଗୁରୁବାର ଲଜକୁରା ଖୋଲାମୁହଁ କୋଇଲା ଖଣିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ଏହି ଖୋଲାମୁହଁ ଖଣି ସମ୍ପ୍ରସାରଣ ଦ୍ୱାରା କ୍ଷତିଗ୍ରସ୍ତ ତଥା ପ୍ରଭାବିତ ସମସ୍ତ ଲୋକଙ୍କୁ ୨ ଦିନ ମଧ୍ୟରେ ଅନ୍ତତଃ ଏମସିଏଲ ଅଧିନସ୍ତ ଠିକା ସଂସ୍ଥାଗୁଡିକରେ ନିଯୁକ୍ତି ପ୍ରଦାନ କରାନଗଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଲଜକୁରା ଖେଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଛୁଆଲିବେର୍ଣ୍ଣା ଗ୍ରାମର ୫ ଶହ ଏକରରୁ ଅଧିକ ଜଙ୍ଗଲ ଜମି ଅଧିଗ୍ରହଣ ହୋଇଛି।
ଏହି ଜଙ୍ଗଲ ଜମି ଅଧିଗ୍ରହଣ ହେବାରୁ ଗ୍ରାମ ଭୂମିହୀନ ଗରିବ ସୀମାରେଖା ତଳେ ବସବାସ କରୁଥିବା ଲୋକେ ପତ୍ର, ଫୁଲ, ଫଳ, କନ୍ଦମୂଳ, ଶୁଖିଲା କାଠ ଆଦି ସଂଗ୍ରହ କରି ପାରୁନାହାନ୍ତି। ତେଣୁ ତାଙ୍କ ରୋଜଗାରର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇସାରିଥିବାବେଳ ଫେରିବାର ପ୍ରତିପୋଷଣରେ ବହୁ ସମସ୍ୟା ଉପୁଜୁଛି। କୋଇଲା ଖନନ ପାଇଁ ଛୁଆଲିବେର୍ଣ୍ଣା ଗ୍ରାମବାସୀ ପ୍ରତ୍ୟକ୍ଷ ଭାବରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇ ନିଜର ରୋଜଗାରର ସମସ୍ତ ମାଧ୍ୟମ ହରାଇଥିଲେ ସୁଦ୍ଧା ଏମସିଏଲ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରୁନାହିଁ। ଏବେ ଏମସିଏଲର ତତ୍ତ୍ୱାବଧାନରେ ନିଳକଣ୍ଠ ମାଇନିଂ ଠିକା ସଂସ୍ଥା ମାଟି କଟା ଏବଂ ମାଟି ପକା କାର୍ଯ୍ୟ ଜାରି ରଖିଛି। ଏହି କାର୍ଯ୍ୟ ପାଇଁ କମ୍ପାନୀକୁ ଶହଶହ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଏଥିରେ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ରାଜ୍ୟର ଶ୍ରମିକଙ୍କୁ ନିଯୁକ୍ତି ଦେଉଛି।
ବାରମ୍ବାର ସ୍ଥାନୀୟ ବାସିନ୍ଦା ନିଯୁକ୍ତ ପାଇଁ ଅନୁରୋଧ କରୁଥିଲେ ସୁଦ୍ଧା ଏମସିଏଲ କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଫଳରେ କୋଇଲା ଧୂଳି ଧୂଆଁ ଖାଉଥିବା ଲୋକ ଚିର ଅବହେଳିତ ହୋଇ ରହୁଛନ୍ତି। ତେଣୁ ଆଜି ଏହି ବିକ୍ଷୋଭ କରାଯାଇଛି। ୨ ଦିନ ମଧ୍ୟରେ ସମସ୍ତ ପ୍ରଭାବିତଙ୍କୁ ଏମସିଏଲ ଅଧୀନସ୍ଥ ଠିକା କମ୍ପାନୀ ଗୁଡ଼ିକରେ ନିଯୁକ୍ତି ପ୍ରଦାନ କରା ନ ଗଲେ ଛୁଆଲିବେର୍ଣ୍ଣାବାସୀଙ୍କ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।