ମୋଟରଯାନ କାଗଜପତ୍ର ବୈଧତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ୍ ଯୋଗୁଁ ମୋଟରଯାନର କାଗଜପତ୍ର ନବୀକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏ ପ୍ରସଙ୍ଗରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରିବହନ ବିଭାଗକୁ ସାନି ନିର୍ଦ୍ଦେଶ ଦିଆଯାଇଛି। ତଦନୁଯାୟୀ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଫିଟ୍‌ନେସ ସାର୍ଟିଫିକେଟ, ରୁଟ୍ ପରମିଟ୍ ଭଳି ଆବଶ୍ୟକ କାଗଜପତ୍ରର ବୈଧତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧିି କରାଯାଇଛି। କାଗଜପତ୍ରର ବୈଧତା ଶେଷ ହୋଇସାରିଥିଲେ ସୁଦ୍ଧା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସଂପୃକ୍ତ ଗାଡି ମାଲିକଙ୍କ ଉପରେ କୌଣସି ଜୋରିମାନା ଲାଗୁ କରାଯିବ ନାହିଁ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ କୋଭିଡ୍ ଯୋଗୁଁ ୨୦୨୦ ଫେବୃଆରୀ ସୁଦ୍ଧା ବୈଧତା ଶେଷ ହୋଇଥିବା କାଗଜପତ୍ରର ନବୀକରଣ ହୋଇପାରିନାହିଁ। ଏହାସତ୍ତ୍ୱେ ଖିଲାପକାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବୈଧ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ନଥିଲେ ଗାଡି ମାଲିକଙ୍କୁ ୫୦୦୦ ଟଙ୍କା ଲେଖାଏଁ, ପରମିଟ୍ ନଥିଲେ ୧୦,୦୦୦ ଟଙ୍କା, ଫିଟ୍‌ନେସ ସାର୍ଟିଫିକେଟ ନଥିଲେ ୨୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯିବାର ବ୍ୟବସ୍ଥା ରହିଛି।