ଗୋଦାବରୀରେ ଡଙ୍ଗା ବୁଡ଼ି ୧୨ ମୃତ, ୨୬ ନିଖୋଜ

ରାଜମୁନ୍ଦ୍ରି: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ରବିବାର ଅପରାହ୍ଣରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଦେବୀପଟନମ୍ ନିକଟରେ ଗୋଦାବରୀ ନଦୀରେ ବୁଡ଼ିଯିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ୨୬ ଜଣ ନିଖୋଜ ହୋଇଯାଇଛନ୍ତି। ତେବେ ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି।

ଏହି ଡଙ୍ଗାରେ ଚାଳକଙ୍କ ସମେତ ୬୧ ଜଣ ଯାତ୍ରୀ ଥିଲେ। ପୂର୍ବ ଗୋଦାବରୀ ଏସ୍ପି ଅଦନାନ୍ ନଇମ୍ ଅସ୍ମି କହିଛନ୍ତି, ତୁରନ୍ତ ଘଟଣାସ୍ଥଳକୁ ୨ଟି ଏନ୍ଡିଆର୍ଏଫ୍ ଟିମ୍ ପଠାଯାଇଛି। ରାଜମୁନ୍ଦ୍ରି ନିକଟ ପର୍ଯ୍ୟଟନସ୍ଥଳୀ ପାପିକୋଣ୍ଡାଲୁକୁ ଗଲାବେଳେ ଡଙ୍ଗା ବୁଡ଼ିଯାଇ ଥିଲା। ଡଙ୍ଗାକୁ ଠାବ କରିବା ପାଇଁ ହେଲିକପ୍ଟର ମୁତୟନ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୨ଟି ଡଙ୍ଗା ମଧ୍ୟ ମୁତୟନ ହୋଇଛି। ଗୋଦାବରୀ ନଦୀରେ ଏବେ ବନ୍ୟା ହୋଇଥିବାରୁ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସେ ଘଟଣାସ୍ଥଳକୁ ସ୍ଥାନୀୟ ବିଧାୟକଙ୍କୁ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଡଙ୍ଗା ବୁଡ଼ି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।