ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୋତିଲାଲା ଓସୱାଲ -କିସ ଆବାସିକ ବିଦ୍ୟାଳୟ ଉଦଘାଟିତ

ଶିକ୍ଷାର ଆଲୋକ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବା ଆମର ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ବଲାଙ୍ଗିର,ଏନ୍ଏନ୍ଏସ୍: ମୋତିଲାଲ ଓସୱାଲ- କିସ ଆବାସିକ ବିଦ୍ୟାଳୟ ବଲାଙ୍ଗିରରେ ପ୍ରତିଷ୍ଠିତ ହେବା ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ। ଏହି ଶିକ୍ଷାନୁଷ୍ଠାନକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଶେଷ କରି ରାଜ୍ୟରେ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଆମ ସରକାର ସବୁବେଳେ ତତ୍ପର ରହିଛି ଓ ପ୍ରତ୍ୟେକଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଛନ୍ତି।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବଲାଙ୍ଗିର ବିକାଶ ପଥରେ ଆଗେଇ ଚାଲିଛି ବୋଲି କହିବା ସହିତ ବଲାଙ୍ଗିରକୁ ମେଡିକାଲ କଲେଜ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟନ୍ୟ ଅବଦାନ ବୋଲି କହିଥିଲେ। ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିଥିବା ତଥା ଓବିସି କମିଶନ ଗଠନ କରିଥିବାରୁ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ, ବଲାଙ୍ଗିର ବାଇପାସ୍, ଲୋୟର ସୁକତେଲ ପ୍ରକଳ୍ପ ଓ ସୋନପୁର ରିଙ୍ଗରୋଡ ନିର୍ମାଣରେ ଜମି ଅଧିଗ୍ରହଣ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ ।

ଏଥି ସହିତ ହାଇକୋର୍ଟ ବେଞ୍ଚ ବଲାଙ୍ଗିରରେ ସ୍ଥାପନ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଦାବି କରିଥିଲେ। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ବିଧାନସଭା ଚାଲିଥିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମୟ କାଢି ଆସିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ବଲାଙ୍ଗିର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଥାଉ ବୋଲି ଅନୁରୋଧ କରିଥିଲେ। ଏଥି ସହିତ ବଲାଙ୍ଗିରରେ ମେଡିକାଲ କଲେଜ ନିର୍ମାଣ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା କିସର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ବଲାଙ୍ଗିର ପାଇଁ ଏକ ଐତିହାସିକ ଦିନ ବୋଲି କହିବା ସହିତ କିସ ବିଦ୍ୟାଳୟରେ କେବଳ ବଲାଙ୍ଗିର ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀ ପାଠ ପଠିବେ ଓ ଜନଜାତିର ଲୋକ ହିଁ ଏଠାରେ ଚାକିରି କରିବେ ବୋଲି କହିଥିଲେ ।

 

କଲେଜ ପାଠ ସରିବା ପରେ ପିଲାମାନେ କିସ ବିଶ୍ୱବିଦ୍ୟାଳୟରେ ପାଠ ପଢିବେ ବୋଲି କହିଥିଲେ। ଏହି ଅବସରରେ ଡ.ସାମନ୍ତ କିସର ପ୍ରତିଷ୍ଠା ପାଇଁ ୩ବର୍ଷ ହେଲା ଉଦ୍ୟମ କରିଆସୁଥିବା ବଲାଙ୍ଗିରର ପ୍ରମୋଦ ସାହୁ ଓ ପ୍ରିୟ ରଞ୍ଜନ ବହିଦାରଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଉପସ୍ଥିତ ଥିବା ଓସୱାଲ ଫାଉଣ୍ଡେସନର ମୋତିଲାଲ ଓସୱାଲ , ସୁନୀତା ଅଗ୍ରୱାଲ ଓ ବିମଳା ଅଗ୍ରୱାଲ ମଧ୍ୟ ତାଙ୍କ ଅଭିଭାଷଣ ରଖିଥିଲେ। ମୁଖ୍ୟମନ୍ତ୍ରୀ ଏକ ବିମାନରେ ଆସି ତୁଷୁରାରେ ଅବତରଣ କରିବା ପରେ ସେଠାରୁ ଏକ ହେଲିକାପ୍ଟରରେ ଉଦଘାଟନୀ ସ୍ଥଳକୁ ଆସିଥିଲେ। କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।