ମନ ପସନ୍ଦ ଖାଦ୍ୟ ନଦେବାରୁ ମା’କୁ ହତ୍ୟାକଲା ପୁଅ

କୋରାପୁଟ,ଏନ୍ଏନ୍ଏସ୍: ନିଜ ପସନ୍ଦର ଖାଦ୍ୟ ନଦେବାରୁ ଉତ୍ୟକ୍ତ ହୋଇ ମଦ୍ୟପ ପୁଅ ନିଜ ମାକୁ ହତ୍ୟା କରିଛି। ଏଭଳି ଏକ ଦୁଖଦ ଘଟଣା ଘଟିଛି କୋରାପୁଟ ଟାଉନ୍ ଥାନା ସୁନାପୁର୍ ଅଂଚଳରେ। ମଦ୍ୟପ ପୁଅ ବୁଧବାର ବିଳମ୍ବିତ ରାତିରେ ଘରକୁ ଫେରି ମନ ପସନ୍ଦର ଖାଦ୍ୟ ନମିଳିବାରୁ ବାପା ମାକୁ ଗାଳିଗୁଳଜ କରିବା ସହ ନିଜ ମାକୁ କଦାଳରେ ବାଡେଇ ବାଡେଇ ହତ୍ୟା କରିବା ଖବର ସହରରେ ଚାଂଚଲ୍ୟ ଖେଳିଯାଇଛି। ସୁନାପୁର ପ୍ରଥମ କଲୋନୀରେ ରହୁଥିବା ମନୋଜ ପରଜା(୨୫) ବୁଧବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲା। ଘରେ ନିଜ ପସନ୍ଦର ଖାଦ୍ୟ ରନ୍ଧା ହୋଇ ନଥିବାରୁ ପାଟିତୁଣ୍ଡ କରିଥିଲା । ପୁଅର ଉନ୍ମତ କାଣ୍ଡ ଦେଖି ବାପା ଶୁକ୍ରୁ ପରଜା ଭୟରେ ଘରୁ ଚାଲି ଯାଇଥିଲେ। ରାତିରେ ସେ ଘର ବାହାରେ ଶୋଇଥିଲେ।

ଗୁରୁବାର ସକାଳେ ସେ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଡମୁଣି ପରିଜାଙ୍କ ମୃତଦେହ ଘରେ ପଡିଥିବା ଦେଖିବାକୁ ପାଇଥିଲେ। କୋରାପୁଟ ଟାଉନ ପୁଲିସକୁ ଖବର ଦେବା ପରେ ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ସୁନାପୁରରେ ପହଂଚି ମୃତଦେହ ଜବତ କରି ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରା ଯାଇଛି । ଟାଉନ୍ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ହତ୍ୟାକାରୀ ପୁଅକୁ ଗିରଫ କରାଯାଇଛି।

ଅଭିଯୁକ୍ତ ମନୋଜ ନିୟମିତ ମଦ୍ୟପାନ କରି ପତ୍ନୀକୁ ମାରପିଟ କରିବାରୁ ସେ ଘରଛାଡି ପଳେଇ ଯାଇଥିବା ଜଣାପଡିଛି। ମଦପିଇ ମନୋଜ ସବୁବେଳେ ଗଣ୍ଡଗୋଳ କରୁଥିଲେ ମଧ୍ୟ ଗୋଟିଏ ପୁଅ ବୋଲି ଶୁକ୍ରୁ ଓ ଡମୁଣୀ କିଛି କହୁ ନ ଥିଲେ। ପତ୍ନୀ ଘରୁ ଗଲାପରେ ମନୋଜର ୨ଟି ଛୋଟପିଲାଙ୍କୁ ଜେଜେବାପା ଓ ଜେଜେମା ଲାଲନପାଳନ କରୁଥିଲେ। ଜେଜେମାର ମୃତ୍ୟୁ ପରେ ପିଲାମାନଙ୍କର ଲାଲନପାଳନ କିଏ କରିବ ବୋଲି ଆଲୋଚ୍ୟର ବିଷୟ ହୋଇପଡିଛି। ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।