ଟଙ୍କା ପାଇଁ ଛୁଆକୁ ବିକିଲା ମା’ !

ସଇଁତଲା,ଏନ୍ଏନ୍ଏସ୍: ଏବେ ପୁଣି ଛୁଆ ବିକ୍ରି ଉଦ୍ୟମ ଭଳି ସଙ୍ଗିନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍ ଗଣ୍ଡପତ୍ରାପାଲି ପଞ୍ଚାୟତର ଫପସି ଗାଁରେ । ପ୍ରକାଶ ଯେ, ଗତ କିଛି ଦିନ ତଳେ ଫପସି ଗାଁ ଡୁଙ୍ଗୁରିପଡାର ମଧୂ ମହାନନ୍ଦ ଓ ତାଙ୍କ ସ୍ତ୍ରୀ ସବିତା ମହାନନ୍ଦ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଯାଉଥିବା ସମୟରେ ବିଭିନ୍ନ ରେଲୱେ ଷ୍ଟେସନରେ ଭିକ ମାଗି ଚଳୁଥିବା ବଲାଙ୍ଗିର ରାଧାରାଣୀ ପଡାର ସରୋଜିନୀ ମହାକୁର ଙ୍କ ସହିତ ବରଗଡ ରେଲୱେ ଷ୍ଟେସନରେ ସାକ୍ଷାତ ହୋଇଥିଲା ।

ସେଠାରେ ସରୋଜିନୀ ନିଜର ଦୁଃଖ ପ୍ରକାଶ କରିବା ସହ ତାର ୫ ବର୍ଷର ବଡ ଝିଅର ଭରଣପୋଷଣ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ଓ ଏହା ସହିତ ପୁଣି ସେ ଗର୍ଭବତୀ ଥିବା କହିଥିଲା। କିଛି ଦିନ ପରେ ସରୋଜିନୀ ବଲାଙ୍ଗିର ରେଲୱେ ଷ୍ଟେସନ ଠାରେ ଏକ ନବଜାତ ଶିଶୁ କନ୍ୟାକୁ ଜନ୍ମଦେଇଥିଲା।

ଜନ୍ମର ୨ ଦିନ ପରେ ପୂର୍ବ କଥା ମୁତାବକ ତପସ୍ୱିନୀ ଟ୍ରେନରେ ସରୋଜିନୀ ନବଜାତ ଶିଶୁ କନ୍ୟା ସହ ବଡମାଲ ରେଲୱେ ଷ୍ଟେସନରେ ଓହ୍ଲାଇବା ପରେ ମଧୂ ମହାନନ୍ଦଙ୍କ ପରିବାର ଲୋକେ ତାକୁ ଘରକୁ ନେଇ ଯାଇଥିଲେ । ପରେ ଖବର ପାଇ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାଞ୍ଜିପଦର ପଞ୍ଚାୟତର ଶିଶାକାନୀ ଗାଁରେ ରହୁଥିବା ସବିତାର ନାନୀ ବାଲମତି ସୁନା ଓ ତାଙ୍କ ସ୍ୱାମୀ ଘନଶ୍ୟାମ ସୁନା ଶିଶୁ କନ୍ୟାକୁ ତାଙ୍କ ସାଙ୍ଗରେ ନେବା ପାଇଁ ଆସି ମଧୂଙ୍କ ଘରେ ପହଁଚିଥିଲେ ।

ଏମାନଙ୍କ ମଧ୍ୟରେ ଦୀର୍ଘ ସମୟଧରି ଶିଶୁ କନ୍ୟାକୁ ନେବା ପାଇଁ ମୂଲଚାଲ ଚାଲିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ସଇଁତଲା ପୋଲିସ ଏସଆଇ ସଙ୍ଗିତା ବେକଙ୍କ ତତ୍ତ୍ୱାବଧାନରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ ଓ ତଦନ୍ତ କରି ବଲାଙ୍ଗିର ଚାଇଲ୍ଡ ଲାଇନର ଟିମ୍ ଲିଡର ତ୍ରିଲୋଚନ ନାଗ ଓ ଟିମ ମେମ୍ବର ଉର୍ବସି ପଧାନ ସେଠାରେ ପହଁଚି ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିିଥିଲେ। ସଇଁତଲା ଡାକ୍ତରଖାନାରେ ଶିଶୁର ସ୍ୱାସ୍ଥ୍ୟପରୀକ୍ଷା କରିବା ପରେ ବଲାଙ୍ଗିର ସିଡବ୍ଲୁସିରେ ହସ୍ତାନ୍ତର କରିଥିଲେ। କେତେ ଟଙ୍କାରେ ବିକ୍ରି କରିବା ପାଇଁ ଉଦ୍ୟମ କରାଯାଉଥିଲା ତାହା ଜଣାପଡିନାହିଁ ।