ଡ଼ାହାଣି ସାଜିଲା ଜନ୍ମକଲା ମାଆ

ରାୟଗଡ଼ା,ଏନ୍ଏନ୍ଏସ୍: ଡାହାଣି ସାଜି ନିଜ ଜନ୍ମକଲା ଶିଶୁକୁ ହତ୍ୟାକଲା ମାଆ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରରେ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଶୋକ ଦାସ ଏବଂ ତାଙ୍କ ପତ୍ନି ସଖିଲା ପରିଡ଼ା ରହୁଥିଲେ। ସ୍ତ୍ରୀ ସଖିଲା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏକ ମିନାବଜାର ପାର୍ଟିରେ ଯାଇ କାମକରନ୍ତି ଏବଂ ସେଥିରୁ କିଛି ଅର୍ଥ ଉପାର୍ଜନ କରି ସ୍ୱାମୀଙ୍କୁ ପରିବାର ଚଳାଇବାରେ ସହାୟତା କରନ୍ତି। ଏଥିରେ ତାଙ୍କ ପରବାର ଖୁସିରେ ଚଳିଯାଏ।

ଗତ କିଛିବର୍ଷ ଧରି ସଖିଲା ରାୟଗଡ଼ାରେ ଅନୁଷ୍ଠିତ କାଳୀପୂଜା, ଗଜଲକ୍ଷ୍ମୀ ଏବଂ ଜେକେପୁରର ଦଶହରାରେ ମିନାବଜାରରେ ଆସି ବ୍ୟବସାୟ କରୁଥିବା ବେଳେ ରାୟଗଡ଼ା ସହରର ଉମାଶଙ୍କର ସିନେମା ହଲ ନିକଟରେ ରହୁଥିବା ପାର୍ଥସାରଥୀ ଧଳଙ୍କ ସମ୍ପର୍କରେ ଆସିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଇତି ମଧ୍ୟରେ ଗତ ୨୦ତାରିଖ ଦିନ ସଖିଲା ବିଶାଖାପାଟଣାରେ ମିନାବଜାରକୁ ଯିବାକୁ ସ୍ୱାମୀ ଅଶୋକକୁ କହି ରାୟଗଡ଼ା ୨ବର୍ଷର ପୁଅକୁ ସାଙ୍ଗରେ ନେଇ ଚାଲିଆସିଥିଲା ପ୍ରେମିକ ରହୁଥିବା ଭଡ଼ା ଘରକୁ ।

ସେଠାରେ ଛୁଆକୁ ନେଇ ପ୍ରେମିକା ଏବଂ ପ୍ରେମିକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ୨୪ ତାରିଖ ଦିନ ହଠାତ ପୁଅ କୈଣସି କାରଣରୁ ଅସୁସ୍ଥ ଦର୍ଶାଇ ଜିଲ୍ଲା ଚିକତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁଟି ମୃତ୍ୟୁବରଣ କରିଥିଲା। ଶିଶୁର ମୃତ୍ୟୁକୁ ନେଇ ସନ୍ଦେହ ହେବାରୁ ଡାକ୍ତର ଜଣଙ୍କ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଯବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଏନେଇ ବୁଧବାର ରାୟଗଡ଼ା ଏସପି ଡ. ଶ୍ରବଣ ବିବେକମ ଶବ ବ୍ୟବଚ୍ଛେଦ ରିପୋଟ ଆଧାରରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣା ପଡ଼ିଛି ବୋଲି କହିଥିଲେ। ଉଭୟେ ଚକ୍ରାନ୍ତ କରି ଶିଶୁଟିକୁ ହତ୍ୟା କରିବା ଉଦେ୍ଧଶ୍ୟରେ ମାଡ଼ ମାରିଥିଲେ ଫଳରେ ଶିଶୁଟିର ମୁହଁ ଏବଂ ପାକସ୍ଥଳି ଫାଟି ଯିବା ଯୋଗୁଁ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ସ୍ୱାମୀ ଅଶୋକ ମଧ୍ୟ ରାୟଗଡ଼ା ପହଞ୍ଚି ଘଟଣା ଉପରେ ଅନେକ ତଥ୍ୟ ଦେଇଥିବା ବେଳେ ପୁଲିସ ଉଭୟ ପ୍ରେମିକ ପାର୍ଥ ସାରଥୀ ଧଳ ଏବଂ ପ୍ରେମିକା ସଖିଲା ପରିଡ଼ାଙ୍କୁ ଗିରଫ କରି ଆଜି ଏକ ହତ୍ୟା ମାମଲାରେ କୋର୍ଟଚାଲାଣ କରିଛି।