ରାୟଗଡା,ଏନ୍ଏନ୍ଏସ୍: ମା ଛେଉଣ୍ଡ ଶିଶୁ ନିଖୋଜ। ରାୟଗଡ଼ା ସହରର ଏକ ଘରୋଇ କ୍ଲିନିକରୁ ନିଖୋଜ ହୋଇଥିବା ସୂଚନା ମିଳିଛି। ଗତ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ଶିଶୁକୁ ପରିବାର ଲୋକ ପାଇପାରୁ ନାହାନ୍ତି। ଅନ୍ୟପଟେ ଶିଶୁଟି କେଉଁଠି ଅଛି ଓ କେଉଁ ପରିସ୍ଥିତିରେ ଅଛି ତାହାର ସୂଚନା କାହା ପାଖରେ ନାହିଁ। ରାୟଗଡା ବ୍ଲକ୍ ଅନ୍ତର୍ଗତ କାରୁବାଇ ଗ୍ରାମର ରାଇସିଂ ମେଲେକାଙ୍କ ସ୍ତ୍ରୀ ପ୍ରଭାତୀ ମେଲେକା ଗତ ମାର୍ଚ୍ଚ ୧୭ ତାରିଖରେ କାରୁବାଇ ଗ୍ରାମର କମ୍ପାରିଗଣ୍ଡା ପାହାଡ଼ ଉପରେ ଥିବା ନିଜର ଏକ କୁଡ଼ିଆ ଘରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପ୍ରସବ ବେଦନା ସହିନପାରି ଶେଷରେ ଆଖି ବୁଜିଦେଲେ ନବଜାତ ଶିଶୁର ମା ପ୍ରଭାତୀ।
ପରବର୍ତ୍ତୀ ସମୟରେ ଏଏନ୍ଏମ୍ ଓ ଆଶା କର୍ମୀ ଯାଇ ପରିବାର ନିକଟରେ ପହଞ୍ଚିଲେ। ଏହାପରେ ଶିଶୁକୁ ଚିକିତ୍ସା ପାଇଁ ରାୟଗଡ଼ା ଅଣାଯାଇଥିଲା। ତେବେ ରାୟଗଡ଼ା ଅଣାଯିବା ପରେ ସେହି ଅଞ୍ଚଳର ଏଏନ୍ଏମ୍ ଶିଶୁକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ନକରି ଏକ ଘରୋଇ କ୍ଲିନିକ୍ ନେଇଥିଲେ। ସେଠାରେ ଭର୍ତ୍ତି କରିବା ପରେ ଶିଶୁର ମାଗଣା ଚିକିତ୍ସା କରାଯାଉଛି ବୋଲି ମଧ୍ୟ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଶିଶୁର ବାପା ରାଇସିଂ ଓ ଅନ୍ୟ ପରିବାର ଲୋକ ଆସିଲା ବେଳକୁ ଶିଶୁକୁ ଘରୋଇ କ୍ଲିନିକ୍ କର୍ତ୍ତୃପକ୍ଷ ଆଉ ଦେଖାଇନଥିଲେ।
ପ୍ରାୟ ୨ ମାସରୁ ଅଧିକ ସମୟ ବିତିଗଲାନି ତଥାପି ଶିଶୁ ପୁତ୍ରର ସନ୍ଧାନ ପାଉନି ବାପା ରାଇସିଂ। ପରିବାରବର୍ଗ ମଧ୍ୟ ସ୍ନେହ ଶ୍ରଦ୍ଧାରେ ଲାଳନ ପାଳନ କରିବା ପାଇଁ ଚାହିଁ ବସିଛନ୍ତି। ଏପରି ସ୍ଥଳେ ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ପାଖରେ ୩୭,୫୦୦ ଟଙ୍କାରେ ଶିଶୁ ପୁତ୍ର ବନ୍ଧା ପଡିଥିବା କୁହାଯାଉଛି। ଏହି ସୂଚନା ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ। ଶିଶୁ ନିଖୋଜ ଅଛି ନା ଲୁଚାଯାଇଛି ତାହା ସନ୍ଦେହ ସୃଷ୍ଟି କରିଛି। ଯାହାର ତଦନ୍ତ ଆବଶ୍ୟକତା ରହିଛି। ତେବେ ଏ ନେଇ ପ୍ରଶାସନ କିମ୍ବା ସମ୍ପୃକ୍ତ ଘରୋଇ କ୍ଲିନିକ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।