କେଉଁଠି ଶୌଚାଳୟରେ ପ୍ରସବ ତ’ କେଉଁଠି ପିଣ୍ଡାରେ ପ୍ରସବ

ବୌଦ୍ଧ,ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଓ ବୌଦ୍ଧରେ ଜନନୀ ଯନ୍ତ୍ରଣାର ୨ଟି ଭିନ୍ନ ଭିନ୍ନ ନମୁନା ଦେଖିବାକୁ ମିଳିଛି। ବୌଦ୍ଧରେ ଶୌଚାଳୟରେ ସନ୍ତାନ ପ୍ରସବ ହୋଇଥିବାବେଳେ ଭଦ୍ରକରେ ଡାକ୍ତରଖାନା ବାରଣ୍ଡାରେ ସନ୍ତାନ ପ୍ରସବ କରିଛନ୍ତି ପ୍ରସୂତି। ଜନନୀ ସୁରକ୍ଷା ଯୋଜନାକୁ ଗୁରୁତ୍ୱ ଦେଉଥିବା ବେଳେ ଅନେକ କ୍ଷେତ୍ରରେ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ପ୍ରସୂତି ମା’ ଓ ଶିଶୁ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ଜଣେ ପ୍ରସୂତିଙ୍କୁ ଦୁଇଜଣ ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ଉପଯୁକ୍ତ ଚିକିତ୍ସା ନପାଇ ଶେଷରେ ସେ ସର୍ବସାଧାରଣ ଶୌଚାଳୟରେ ସନ୍ତାନ ପ୍ରସବ କରିଛନ୍ତି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଗଡ଼ଫେସପଦର ଗ୍ରାମର ଶିକ୍ଷକ ଜନକ କର୍ମୀଙ୍କ ପତ୍ନୀ ଜାନକୀଙ୍କ ପୂର୍ବରୁ ଦୁଇଟି ଛୁଆ ଜନ୍ମ ହୋଇ ନଷ୍ଟ ହୋଇଯାଇଥିଲେ। ସେ ତୃତୀୟ ଗର୍ଭ ଧାରଣ କରିଥିଲେ। ସୁବର୍ଣ୍ଣପୁର ଚିକିତ୍ସାଳୟରେ ନିୟମିତ ଚିକିତ୍ସିତ କରାଉଥିବା ଜାନକୀଙ୍କ ଆସନ୍ତା ଅକ୍ଟୋବର ୨ରେ ପ୍ରସବ ହେବ ବୋଲି ଡାକ୍ତର ତାରିଖ ଧାର୍ଯ୍ୟ କରିଥିଲେ। ତେବେ ଯନ୍ତ୍ରଣା ଅନୁଭବ ହେବାରୁ ଶୁକ୍ରବାର ସକାଳୁ ମନମୁଣ୍ଡା ଓ ସୁବର୍ଣ୍ଣପୁର ଚିକିତ୍ସାଳୟ ନିଆଯାଇଥିଲେ ମଧ୍ୟ ଅଲଟ୍ରାସାଉଣ୍ଡ ହୋଇନପାରିବାରୁ    ନିରାଶ ହୋଇ ବୌଦ୍ଧ ଫେରି ଆସିଥିଲେ। ବୌଦ୍ଧରେ ଏକ ଘରୋଇ ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ପରୀକ୍ଷା କରାଇବା ପରେ ପ୍ରସବ ହେବାକୁ ଆହୁରି ବିଳମ୍ବ ଅଛି କହି ଡାକ୍ତର ଔଷଧ ଲେଖିଦେଇଥିଲେ। ତେବେ ସମ୍ପୃକ୍ତ ଦମ୍ପତି ବୌଦ୍ଧ ବସ୍‍ଷ୍ଟାଣ୍ଡ ନିକଟ ଶୌଚାଳୟକୁ ଯାଇଥିବାବେଳେ ସେଠାରେ ଜାନକୀ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ।

ତେବେ ଶୌଚାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଏକ ଆଉଟ୍‌ଡୋର ଟିକଟ କରିବା ସହ ତୁରନ୍ତ ପତ୍ନୀଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଜନକ ଅନୁରୋଧ କରିଥିଲେ। ତେବେ ତାଙ୍କୁ ସହାୟତା ଯୋଗାଇଦେବା ତ ଦୂରର କଥା ପତ୍ନୀଙ୍କୁ ଚିକିତ୍ସାଳୟ ଆଣିଲେ ଚିକିତ୍ସା କରିବୁ ବୋଲି କୁହାଯାଇଥିଲା। ସେଥିପାଇଁ ଜନକ ଆମ୍ବୁଲାନ୍ସ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣିନଥିଲେ। କୌଣସି ଅଟୋ ରିକ୍ସା ସହାୟତାରେ ପତ୍ନୀଙ୍କୁ ଚିକିତ୍ସାଳୟ ପହଞ୍ଚାଇବା ଆଶାରେ ଜନକ ଶୌଚାଳୟକୁ ଫେରିବାବେଳେ ଜାନକୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ଶୌଚାଳୟ ବାରଣ୍ଡାରେ ସନ୍ତାନ ପ୍ରସବ କରିଥିଲେ।

ସେହିଭଳି ଭଦ୍ରକ  ପୁରୁଣାବଜାର ଗେ।ଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଡାକ୍ତର ନଥିବାରୁ ଜଣେ ପ୍ରସୂତି ଡାକ୍ତରଖାନା ବାରଣ୍ଡାରେ ସନ୍ତାନ ପ୍ରସବ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ଚିକିତ୍ସାଧିକାରୀ ଓ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଭଦ୍ରକ କାଜିମହଲା ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ଅଟୋରେ ପୁରୁଣାବଜାର ମେଡ଼ିକାଲକୁ ଆସୁଥିଲେ। ହେଲେ ଅଟୋରୁ ଓହ୍ଲାଇ ମେଡିକାଲ ପାହାଚ ଚଢୁଥିବା ସମୟରେ ପ୍ରସବ ଯନ୍ତ୍ରଣା ଅଧିକ ଅନୁଭବ କରିଥିଲେ। ଡାକ୍ତର ଅନୁପସ୍ଥିତି ଯୋଗୁଁ ପ୍ରସୂତିଙ୍କୁ ଫେରାଇ ଆଣିବା ବେଳେ ସେ ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରିବାର ଲୋକେ ଏହା ଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମେଡ଼ିକାଲର ଆଟେଣ୍ଡାଣ୍ଟ ମା’ ଓ ଶିଶୁଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ। ଡାକ୍ତର ଦୀପକ ଜେନା ଶିଶୁ ଓ ମା’ଙ୍କୁ ସେଠାରେ ଚିକିତ୍ସା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।