ଟ୍ରେନ ଧକ୍କା ଖାଇ ମାଆ ଓ ଝିଅ ମୃତ

ଯାଜପୁର,ଏନ୍ଏନ୍ଏସ୍: ଶନିବାର ପୂର୍ବାହ୍ଣ ପ୍ରାୟ ୧୦ଟା ୩୦ରେ ଯାଜପୁର ରୋଡ୍‌ ଅହମଦ ନଗର ଓଭର୍‌ବ୍ରିଜ୍‌ ନିକଟରେ ଏକ ଟ୍ରେନ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଶନିବାର ଅହମଦ ନଗର ଓଭରବ୍ରିଜ ନିକଟରେ ଏକ ପୁରୀ ପାସେଞ୍ଜର୍‌ ଟ୍ରେନ୍‌ ଯାଉଥିବା ବେଳେ ସେଥିରେ ଧକ୍କା ଖାଇ ମାଆ କାଠି ରଣା(୬୫) ଓ ତାଙ୍କ ଝିଅ ଗୁରୁବାରୀ(୪୦)ର ମୃତ୍ୟୁ ହୋଇଛି। ସେମାନଙ୍କ ଘର ଯାଜପୁର ସହରର ଅନତିଦୂରରେ ଥିବା ଚାନ୍ଦମା ଗ୍ରାମରେ।

ସୂଚନା ଅନୁସାରେ ପାରିବାରିକ କଳହ କାରଣରୁ ମାଆ ଜୀବନ ହାରିବା ଲାଗି ରେଳଧାରଣା ଉପରକୁ ଚାଲିଯାଇଥିଲେ। ଏତିକି ବେଳେ ହାଓଡ଼ାରୁ ପୁରୀ ଅଭିମୁଖେ ପାସେଞ୍ଜର୍‌ ଟ୍ରେନ୍‌ ଆସୁଥିଲା। ଝିଅ ଗୁରୁବାରୀ ରେଳ ଧାରଣା ଉପରକୁ କାଠିଙ୍କୁ ଟାଣି ଆଣିବାକୁ ଚେଷ୍ଟା କରିବା ବେଳେ ପଡ଼ିଯାଇଥିଲେ ଏବଂ ଗାଡ଼ି ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଜିଆର୍‌ପି ପୁଲିସ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହ ତାଙ୍କ ପରିବାରକୁ ଖବର ଦେଇଛନ୍ତି।