ଛୁଆକୁ ଧରି ପାଣିକୁ ଡେଇଁଲେ ମହିଳା!

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ପୋକାମୂଳ ଗାଁ’ରେ ଗତକାଲି ରାତିରେ ଜଣେ ମହିଳା ନିଜ ୬ ମାସର ଛୁଆକୁ ଧରି ଉଛୁଳା ଦେବୀ ନଦୀକୁ ଡେଇଁ ପଡ଼ିଥିବା କୁହାଯାଉଛି। ନାଉଗାଁ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ବି ଏଯାଏ ଉଭୟଙ୍କ ପତ୍ତା ମିଳି ପାରିନାହାନ୍ତି। ]

ନିଖୋଜ ମହିଳା ହେଉଛନ୍ତି ଅରକ୍ଷିତ ରାଉତଙ୍କ ପତ୍ନୀ ଲିପିନା ରାଉତ ଓ ତାଙ୍କ ୬ ମାସର ଛୁଆ। ଅରକ୍ଷିତ ବାହାରେ ଚାକିରି କରୁଥିବାରୁ ଲିପିନା ନିଜ ଶାଶୁ ଶ୍ୱଶୁରଙ୍କ ସହ ରୁହନ୍ତି। ଗତ ରାତିରେ ଲିପିନା ନିଜ ଛୁଆକୁ ଧରି ଘର ବାହାରେ ବୁଲୁଥିବା ବେଳେ କେହି ସନ୍ଦେହ କରି ନ ଥିଲେ। ହେଲେ କିଛି ସମୟ ପରେ ସେ ପାଖରେ ଥିବା ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହରେ ଗାଁ ଲୋକେ ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ।

ଗାଁ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ମା’ ଛୁଆଙ୍କ କୌଣସି  ସନ୍ଧାନ ପାଇପାରିନଥିଲେ। ଖବର ପାଇ ପୁଲିସ୍‌, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏସଂକ୍ରାନ୍ତରେ ଜଗତସିଂହପୁର ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ୍‌ କହିଛନ୍ତି, ମହିଳାଙ୍କ ବାପ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ ବି ଏ ସମ୍ପର୍କରେ କେହି ଥାନାରେ ଅଭିଯୋଗ କରି ନ ଥିବା ଜଣାଯାଇଛି।