ମୋଷ୍ଟ ୱାଣ୍ଟେଡ୍ ପିଏଲଏଫଆଇ ସଦସ୍ୟ ଗିରଫ; ପିସ୍ତଲ ଓ ଗୁଳି ଜବତ

ଦେବଗଡ,ଏନ୍ଏନ୍ଏସ୍: ଏକ ପୁରୁଣା ଡକାୟତି ମାମଲାରେ ଫେରାର ଥିବା କୁଖ୍ୟାତ ଅପରାଧୀ ତଥା ପିଏଲଏଫଆଇ ସଦସ୍ୟ ଅବିନାଶ ଟପ୍ନୋ(୪୫)କୁ ବାରକୋଟ ଥାନା ପୁଲିସ କାବୁ କରିବାରେ ସଫଳ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ କେସ ନଂ ୧୬୨/୨୫.୧୦.୧୯ ମାମାଲାରେ ଝାରଖଣ୍ଡ ଖୁଣ୍ଟି ଜିଲ୍ଲା ତୋରପା ଥାନାଞ୍ଚଳର ଅବିନାଶ ଟପ୍ନୋ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ତା ନାମରେ ଦଫା ୪୫୭,୩୯୫,୧୨୦ବି ଓ ୨୫/୨୭ ଆର୍ମଆକ୍ଟରେ ମାମଲା ଋୁଜ୍ଜୁ ହୋଇଥିଲା। ତେବେ ସେହିଦିନ ଠାରୁ ଅବିନାଶ ଫେରାର ଥିବାବେଳେ ବାରକୋଟ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ରହିଥିଲା।

ଅବିନାଶକୁ ଗିରଫ ପାଇଁ ବାରକୋଟ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ ମଧ୍ୟ ଧରିପାରି ନ ଥିଲେ। ତେବେ ଗତକାଲି ଅବିନାଶ କେଲଡା ଗ୍ରାମ ନିକଟସ୍ଥ ଜଙ୍ଗଲ ଏରିଆରେ ଥିବା ସୂଚନା ପାଇ ଦେବଗଡ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଏସଡିପିଓ ସୁଲେମାନ ଏକ୍କା ଓ ବାରକୋଟ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୁଲିସର ଏକ ସ୍ୱତନ୍ତ୍ର ଦଳ ଉକ୍ତ ଅଂଚଳରେ ଚଢାଉ କରି ଅବିନାଶ କୁ ଗିରଫ କରିବାରେ ସଫଳ ହୋଇଥିଲେ।ଗିରଫ ସମୟରେ ଅବିନାଶ ନିକଟରୁ ଏକ ପିସ୍ତଲ ଓ ଜିବନ୍ତ ଗୁଳି ମଧ୍ୟ ଜବତ ହୋଇଥିଲା।

ଅବିନାଶ ନାମରେ ବାରକୋଟ ଥାନା ସମେତ ଝାରଖଣ୍ଡ ଓ ବିଭିନ୍ନ ସ୍ଥାନରେ ଡକାୟତି,ଲୁଟ ଓ ବେଆଇନ ମାରଣାସ୍ତ୍ର କାରାବାର ଭଳି ଏକାଧିକ ସଂଗୀନ ମାମଲାରହିଥିବା ବେଳେ ହତ୍ୟା ଘଟଣାରେ ମଧ୍ୟ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରିଛି। ଆଜି ଅବିନାଶ କୁ ବାରକୋଟ ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଅଦାଳତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇଦିଆଯାଇଛି।