ଗୁଳିବିନିମୟରେ ମୋଷ୍ଟଓ୍ୱାଣ୍ଟେଡ ମାଓବାଦୀ ନିପାତ, ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜବତ

ଛତିଶଗଡ଼,ଏଜେନ୍ସି: ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ। ମୃତ ନକ୍ସଲର ନାଁ କୋଷା ହାଁସଦା।

୧୫ ବର୍ଷ ହେବ ସେ ନକ୍ସଲ ସଂଗଠନ ପାଇଁ କାମ କରୁଥିଲା। ତା’ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର। ଗୁଇନ୍ଦା ସୂଚନା ଆଧାରରେ ଦାନ୍ତେଓ୍ୱାଡାର ନିଲାବାୟା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ କୁମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ।

ଏତିକିବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ସୁରକ୍ଷା ବାହିନୀ ଗୁଳିରେ ଜଣେ ମାଓବାଦୀ ନିହତ ହେବା ସହିତ ଘଟଣାସ୍ଥଳରୁ ବନ୍ଧୁକ, ଲ୍ୟାଣ୍ଡମାଇନ୍ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି।