ଝାଡ଼ାବାନ୍ତିରେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ଜାମଝରନ ଗାଁରେ ଝାଡ଼ାବାନ୍ତିରେ ୧୦ ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିcନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସିତ ହେଉଥିବା ସମସ୍ତଙ୍କ ଅବସ୍ଥା ଏବେ ନିୟନ୍ତ୍ରଣରେ ରହିଛି ବୋଲି ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗାଁର ଆଶାକର୍ମୀଙ୍କ ସ୍ୱାମୀ ପ୍ରଥମେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ଆଣି ଚିକିତ୍ସା କରିବା ପରେ ସେ ସଠିକ ହୋଇଯାଇଥିଲେ। ତେବେ ନୂଆଁଖାଇ ପରେପରେ ଗାଁରେ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ କେଉଁ କାରଣରୁ ଏହି ଝାଡ଼ାବାନ୍ତି ବ୍ୟାପିଛି ଏପର୍ଯ୍ୟନ୍ତ ତାହା ଜଣାପଡ଼ିନାହିଁ। ଦୂଷିତ ପାନୀୟ ଜଳ ଯୋଗୁଁ ଏହା ବ୍ୟାପିଥିବା ଆଶଙ୍କା କରାଯାଉଛି। ଗାଁକୁ ଯାଇ ଏକ ଟିମ୍ ପାଣିର ନମୁନା ସଂଗ୍ରହ କରିବା ସହିତ ଏହା ଆହୁରି କିଭଳି ନ ବ୍ୟାପିବ ସେ ଦିଗରେ ଉଦ୍ୟମ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ଆକ୍ରାନ୍ତଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଶିଶୁମାନେ ମଧ୍ୟ ରହିଛନ୍ତି। ଆକ୍ରାନ୍ତଙ୍କ କହିବାନୁଯାୟୀ, ଆଖପାଖ କେତେକ ଗାଁକୁ ମଧ୍ୟ ଏହା ବ୍ୟାପିଛି। ତେବେ ଏହାକୁ ଗୁରୁତର ସହ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୃକ୍ତ ଅଞ୍ଚଳରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଠାରେ ପ୍ରକାଶ ଥାଉ କି ବର୍ଷା ପରେ ଗାଁରେ ଝାଡ଼ାବାନ୍ତି ପ୍ରତିଷେଧ ଔଷଧ ବଣ୍ଟନ କରାଯାଇଥିଲା। କିନ୍ତୁ ସଚେତନତା ଅଭାବରୁ ସେମାନେ ଔଷଧ ସେବନ କରି ନଥିଲେ। ଯେଉଁଥିପାଇଁ ଝାଡ଼ାବାନ୍ତି ବ୍ୟାପିଲା ବୋଲି କୁହାଯାଉଛି।