ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଉରକେଲା ଗସ୍ତ କରି କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ତ୍ରିପାଠୀ ହାଇଟେକ୍ ହସ୍ପିଟାଲ, ଜୟ ପ୍ରକାଶ ହସ୍ପିଟାଲ ଏବଂ ଶାନ୍ତି ସ୍ମାରକୀ ହସ୍ପିଟାଲ୍ ପରିଦର୍ଶନ କରି ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ତୋଷଜନକ ଭାବେ କୋଭିଡ୍ ପରିଚାଳନା କରିଛନ୍ତି।
ଜିଲ୍ଲାରେ କରୋନା ପଜିଟିଭ୍ ହାର୍ ୧% ରହିଛି। ଶ୍ରୀ ତ୍ରିପାଠୀ ଆହୁରୀ ମଧ୍ୟ କହିଥିଲେ ଯେ ଖୁବ୍ଶୀଘ୍ର ରାଉରକେଲାକୁ ଅଧିକ ୨୦ଜଣ ଡାକ୍ତର ପଠାଯିବ। ଦିନେ ଦୁଇଦିନ ମଧ୍ୟରେ ସେମାନେ କାର୍ଯ୍ୟରେ ଯୋଗ ଦେବେ। କୋଭିଡ ନିରାକରଣ, ଘରକୁ ଘର ସର୍ଭେ ଏବଂ ବ୍ୟାପକ ସଚେତନତା ନିମନ୍ତେ ଜନ ପ୍ରତିନିଧି, ଜନ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସାମିଲ୍ କରି ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ରାଉରକେଲା ପୌର ନିଗମକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଶୁକ୍ରବାରଠାରୁ ଏହି ଅଭିଯାନ ଆରମ୍ଭ କରାଯିବ।
ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତ୍ତମାନ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟ କରୁଛି। ଗତ ମାସରେ ଆର୍ଏମ୍ଆରସି ତରଫରୁ କରାଯାଇଥିବା ସେରୋଲୋଜିକାଲ୍ ସର୍ଭେରୁ ଜଣାପଡ଼ିଛି ଯେ ରାଉରକେଲା ସହରର ପ୍ରାୟ ୨୫% ଲୋକଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି ସୃଷ୍ଟି ହୋଇଛି। ଏହା ଏକ ଶୁଭ ସୂଚନା। ଜିଲ୍ଲାର ବିଭିନ୍ନ ପଞ୍ଚାୟତ ୨୯୭ କୋଭିଡ୍ କେୟାର ସେଣ୍ଟର ଖୋଲା ଯାଇଥିଲା। ସେସବୁରେ ଥିବା ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଅଧିକାଂଶ ସେଣ୍ଟର ଖାଲି ହୋଇଛି। ସେଠାରେ ଥିବା ସ୍ୱାସ୍ଥ୍ୟକର୍ମୀ ଓ ଷ୍ଟାଫ୍ ରାଉରକେଲା କୋଭିଡ ହସ୍ପିଟାଲରେ ମୁତୟନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।
ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପୱନ୍ କଲ୍ୟାଣ, ଡିଏମ୍ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଅବୋଲୀ ସୁନିଲ୍ ନରୱନେ, ରାଉରକେଲା ପୌର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ସମୀକ୍ଷା ବୈଠକରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନା କରିଥିଲେ।