୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ୬ ଗିରଫ୍

ଫୁଲବାଣୀ,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ ଗଞ୍ଜେଇ ଚାଲାଣ ଜୋରଦାର ଚାଲିଛି। ଦୈନନ୍ଦିନ ପୁଲିସ ଗଞ୍ଜେଇ ବିରୋଧରେ ପଦକ୍ଷେପ ନେଉଥିଲ ସୁଦ୍ଧା ଏହା ଥମିବାର ନା ନେଉନାହିଁ। ଏହି ପରିପ୍ରେକ୍ଷୀରେ ଗଛପଡ଼ା ଥାନା ପୁଲିସକୁ ଆଜି ଏବ ବଡ଼ ସଫଳତା ମିଳିଛି। କନ୍ଧମାଳ ଜିଲ୍ଲା ଉଷାଗଡ଼ା ଅଞ୍ଚଳରୁ ୫ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୩୦ ହଜାର ବୋଲି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ବେଙ୍ଗାଲୁରୁକୁ ଏହି ଗଞ୍ଜେଇ ଚୋରାଚାଲାଣ ହେଉଥିଲା। ଖବର ପାଇ ଗଛପଡ଼ା ପୁଲିସ ଉଷାଗଡ଼ ଅଞ୍ଚଳରେ ଚଢ଼ଉ କରିଥିଲା। ଏକ ଟ୍ରକରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଏହାକୁ କାବୁ କରିଛି। ଏହି ସମୟରେ ସେଠାରୁ ୨ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ବାକି ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୫ ଜଣ ଉଷାଗଡ଼ ଅଞ୍ଚଳର ହୋଇଥିବା ବେଳେ ଜଣେ ବେଙ୍ଗାଲୁରୁ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ଗଛପଡ଼ା ଥାନାରେ ଆଜି ଧାରା-୨୦(ବି)(ଟୁ)(ସି) ଏନଡିପିଏସରେ ମାମଲା ରୁଜୁ ହୋଇଛି। ଏଥିସହିତ ଅଭିଯୁକ୍ତଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍ ଏବଂ ଗୋଟେ ପାସ୍ ବୁକ୍ ଜବତ ହୋଇଛି।