ଅଧିକ ଲୁହାପଥର ଉତ୍ପାଦନ ଉପରେ ପ୍ରାଥମିକତା ଦେଉ ଏନଏମଡିସି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ(ଏନଏମଡିସି)ର ହାଇଦ୍ରାବାଦସ୍ଥିତ କର୍ପୋରେଟ୍ ଅଫିସ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ, ନିର୍ଦ୍ଦେଶକ ତଥା ଅଧିକାରୀଙ୍କୁ ଭେଟିବା ସହ ଏନଏମଡିସି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତର ସବୁଠୁ ବଡ ଖଣିଜ କମ୍ପାନୀ ଏନ୍ଏମ୍ଡିସିକୁ ଅଧିକରୁ ଅଧିକ ଲୁହାପଥର ଉତ୍ପାଦନ କରିବା ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଇସ୍ପାତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ କଞ୍ଚାମାଲ ଯୋଗାଣରେ ସୁନିଶ୍ଚିତ ହେବା ସହ ବଜାର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଥିଲେ ଯେ ଏନଏମଡିସି ଦାୟିତ୍ୱବାନ ହୋଇ ଡିଜିଟାଲ ମାଧ୍ୟମର ଉପଯୋଗ କରି ଖଣିଜ ଉତ୍ପାଦନ କରୁଛି। କାର୍ଯ୍ୟରତ ପ୍ରକଳ୍ପ ବିଶେଷ ଭାବରେ ଏନଏମଡିସି ଆଇରନ୍ ଏବଂ ଷ୍ଟିଲ୍ ପ୍ଲାଂଟ (ଏନଆଇଏସପି) ପ୍ରକଳ୍ପକୁ ନିୟମିତ ଭାବରେ ତଦାରଖ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା କମ୍ପାନୀର ପ୍ରାଥମିକତାକୁ ପୂରଣ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି ପରିଦର୍ଶନ କାଳରେ ଶ୍ରୀ ପ୍ରଧାନ ଏନଏମଡିସିର ‘ସ୍ଲରି୍ ପାଇପଲାଇନ ପ୍ରକଳ୍ପ’ର ସମୀକ୍ଷା ମଧ୍ୟ କରିଥିଲେ।

ପ୍ରକାଶଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏହି ଏନଏମଡିସି କର୍ପୋରେଟ୍ କାର୍ଯ୍ୟାଳୟକୁ ପ୍ରଥମ ଗସ୍ତ ଥିଲା। ଏନଏମଡିସିର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସହ ଏକ ବୈଠକରେ ଏନଏମଡିସିର କାର୍ଯ୍ୟକାରୀତା ଉପରେ କହିବା ସହ ବିଭିନ୍ନ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରିଥିଲେ।