ଅନୁପଙ୍କ ପୁଣି ୧ ଦିନିଆ ରିମାଣ୍ଡ, ବୁଧବାର ନାର୍କେଟେଷ୍ଟର ଶୁଣାଣି

ଝାରସୁଗୁଡା,ଏନ୍ଏନ୍ଏସ୍: ଅନୁପ ସାଏଙ୍କ ପୁଣି ୧ ଦିନିଆ ରିମାଣ୍ଡର ମଞ୍ଜୁରି ଦେଇଛି ରାୟଗଡ ଜିଲ୍ଲାକୋର୍ଟ। ଅନୁପଙ୍କୁ ଆଜି ସଧ୍ୟାରୁ ପୁଲିସ ରିମାଣ୍ଡରେ ନେଇ ଆସନ୍ତାକାଲି ୪ଟାରେ କୋର୍ଟରେ ହାଜର କରିବ। ବୁଧବାର ଅନୁପଙ୍କୁ କୋର୍ଟରେ ହାଜର କଲା ପରେ ନାର୍କୋଟେଷ୍ଟ ଓ ବ୍ରେନ ମ୍ୟାପିଙ୍ଗ ପାଇଁ କରାଯାଇଥିବା ଆବେଦନର ଶୁଣାଣି କରାଯିବ ବୋଲି ରାୟଗଡ କୋର୍ଟ ନିଷ୍ପତ୍ତି ଦେଇଛନ୍ତି। ଅନୁପ ସାଏଙ୍କ ୩ଦିନିଆ ରିମାଣ୍ଡ, ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଙ୍ଗ ପାଇଁ ଛତିଶଗଡ ପୁଲିସ ପକ୍ଷରୁ ଗତ ଶନିବାର ଆବେଦନ କରାଯାଇଥିଲା।

ପ୍ରାଥମିକ ତଦନ୍ତ ଓ ପ୍ରଥମ ରିମାଣ୍ଡ ଅବଧିରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ସମ୍ପୂର୍ଣ୍ଣର୍ ସହଯୋଗ କରି ନ ଥିବାରୁ ଅନୁପଙ୍କୁ ଆହୁରି ୩ ଦିନ ରିମାଣ୍ଡରେ ନେବାର ଆବଶ୍ୟକତା ରହିଛି ବୋଲି ସରକାରୀ ଓକିଲ ଦେବ ପ୍ରକାଶ ପଟେଲ କୋର୍ଟରେ କହିଥିଲେ। ହେଲେ ବାରମ୍ବାର ଅନୁପଙ୍କୁ ରିମାଣ୍ଡରେ ନେଇ ତାଙ୍କୁ ଶାରରୀକ ତଥା ମାନସିକ ଯନ୍ତ୍ରଣା ଦିଆଯିବାର ଆଶଙ୍କା ଥିବାରୁ ରିମାଣ୍ଡକୁ ନାମଞ୍ଜୁର କରିବା ପାଇଁ ଅନୁପଙ୍କ ଓକିଲ ବିଜୟ ସରାଫ କୋର୍ଟକୁ ଅନୁରୋଧ କରିଥିଲେ। ଏହାସହ ଅନୁପଙ୍କ ହୃଦ୍ଜନିତ ସମସ୍ୟା ଥିବାରୁ ନାର୍କୋ ଟେଷ୍ଟ ବା ବ୍ରେନ ମ୍ୟାପିଙ୍ଗ ଅନୁପଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ ବୋଲି କହିଥିଲେ।

ଉଭୟ ପକ୍ଷଙ୍କ ଦଲିଲ ଶୁଣିଲା ପରେ ରାୟଗଡ କୋର୍ଟ ଅନୁପଙ୍କ ୧ ଦିନିଆ ରିମାଣ୍ଡ ମଞ୍ଜୁର କରିଥିବା ବେଳେ ନାର୍କୋ ଟେଷ୍ଟ ଓ ବ୍ରେନ ମେପିଙ୍ଗର ଶୁଣାଣିକୁ ବୁଧବାରକୁ ଘୁଂଚାଇଛନ୍ତି। ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଏପର୍ଯ୍ୟନ୍ତ ପୁଲିସକୁ ମିଳି ନାହିଁ ବୋଲି ରାୟଗଡ ଏଏସପି ଅଭିଷେକ ବର୍ମା ସୂଚନା ଦେଇଛନ୍ତି। ହତ୍ୟାରେ ବ୍ୟବହୃତ ବୋଲେରୋ, ଲୁହାରଡକୁ ଖୋଜିବା ପାଇଁ ପୁଲିସ ତନାଘନା ଜାରି ରଖିଥିବାବେଳେ ଅନୁପ ଓ କଳ୍ପନାଙ୍କ ସମ୍ପର୍କୀୟ ମାନଙ୍କୁ ଚକ୍ରଧରନଗର ଥାନକୁ ଡକାଇ ପଚରା ଉଚୁରା କରାଯାଉଛି ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ ଯେ, ଛତିଶଗଡର ହମିରପୁର ଜଙ୍ଗଲ ନିକଟରେ ୨୦୧୬ ମେ ୭ ତାରିଖରେ ହୋଇଥିବା ବବଲି ଦାସ ଓ କଳ୍ପନା ଦାସ (ମା, ଝିଅ) ହତ୍ୟାକାଣ୍ଡର ପ୍ରାୟ ୪ ବର୍ଷ ପରେ ଗତ ଶୁକ୍ରବାର ଛତିଶଗଡ ପୁଲିସ ପର୍ଦ୍ଦାଫାସ କରିଥିଲା। ଏହି ଘଟଣାର ମୁଖ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ କୁମାର ସାଏକୁ ଗିରଫ କରିବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରି ଜେଲ ପଠାଇଥିଲା। ଏହାସହ ଏହି ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ଅନୁପ ଓ ବର୍ଦ୍ଧଙ୍କ ପୁଲିସ ରିମାଣ୍ଡ ଗତ ବୁଧବାର ଆବେଦନ କରିଥିଲା। ପୁଲିସର ଆବେଦନକୁ ସ୍ୱିକୃତି ଦେଇ ରାୟଗଡ ଜିଲ୍ଲା କୋର୍ଟ ଅନୁପଙ୍କୁ ୩ ଦିନ ଓ ବର୍ଦ୍ଧନଙ୍କୁ ୧ ଦିନର ପୁଲିସ ରିମାଣ୍ଡର ମଂଜୁରୀ ଦେଇଥିଲା।