ଓଡ଼ିଶାକୁ ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳରେ ପ୍ରବେଶ କରିଛି । ଗତ ୨୪ ଘଣ୍ଟା ହେବ ସ୍ୱଳ୍ପ ବୃଷ୍ଟି ଲାଗି ରହିଛି । କେରଳ ସହ ଦକ୍ଷିଣ ତାମିଲନାଡ଼ୁରେ ମଧ୍ୟ ଆଜି ମୌସୁମୀ ବାୟୁ ପ୍ରବେଶ କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଆରୋବ ସାଗର ଓ ବଙ୍ଗୋପସାଗରରେ ପ୍ରବେଶ କରିବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

ସାଧାରଣତଃ ଜୁନ୍ ୧୨ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ । କିନ୍ତୁ ଚଳିତ ବର୍ଷ ପାଖାପାଖି ୭ ଦିନ ବିଳମ୍ବରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିବାରୁ ଓଡ଼ିଶାକୁ ବିଳମ୍ବରେ ଆସିବ । ଏହାସହ ମୌସୁମୀ ବାୟୁ ଯେତେବେଳେ ଦକ୍ଷିଣ ଭାରତରୁ ଅଗ୍ରସର ହୋଇ ଉତ୍ତର-ପୂର୍ବ ଭାରତକୁ ପ୍ରବେଶ କରିବ ସେତେବେଳ କେବେ ଓଡ଼ିଶାକୁ ଆସିବ ସଠିକ୍ ଭାବେ ଅନୁମାନ କରାଯାଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।