ରାଜ୍ୟରୁ ମୌସୁମୀର ବିଦାୟ, ୪ ମାସରେ ହୋଇଛି ୯ ଲଘୁଚାପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଥର ଆଶାତୀତ ବର୍ଷା କରିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଅପସାରଣ ହୋଇଯାଇଛି। ରବିବାର ଏହା ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବହୁ ଅଞ୍ଚଳରୁ ଅପସରି ଯାଇଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରୁ ବିଦାୟ ନେଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସାଧାରଣତଃ ଅକ୍ଟୋବର ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ରାଜ୍ୟରୁ ମୌସୁମୀ ସ୍ୱାଭାବିକ ଭାବେ ପ୍ରତ୍ୟାବର୍ତ୍ତନ କରିଥାଏ। ଚଳିତ ବର୍ଷ ମଧ୍ୟ ୧୪ ତାରିଖରୁ ଓଡ଼ିଶାରୁ ମୌସୁମୀ ଅପସାରଣ ଆରମ୍ଭ ହୋଇଥିଲା। ସୋମବାର ସୁଦ୍ଧା ଗୁଜୁରାଟ, ମହାରାଷ୍ଟ୍ର ବିଦର୍ଭର କୁଛି ଅଞ୍ଚଳରୁ ମୌସୁମୀ ଫେରିଥିବା ବେଳେ ଦକ୍ଷିଣ ଭାରତର କିଛି ଅଂଶ ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ସିକିମ ଆଦି ଅଞ୍ଚଳରୁ ମୌସୁମୀ ଫେରିଛି। ଦୁଇଦିନ ଭିତରେ କେନ୍ଦ୍ରୀୟ ଭାରତ ଓ ଭାରତର ଉତ୍ତର ପୂର୍ବଦିଗରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଦର୍ଶାଯାଇଛି।

ତେବେ ମୌସୁମୀ ଯିବା ପରେ ମଧ୍ୟ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରକାଶ କରିଛି। ମୌସୁମୀ ସିଜିନରେ ଓଡ଼ିଶାରେ ୭ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ସାରା ଭାରତରେ ୧୦ ପ୍ରତିଶତ ଅଧିକ ବର୍ଷା ହୋଇଛି।

ଏହାସହିତ ଏହି ୪ ମାସ ମଧ୍ୟରେ ବଙ୍ଗୋପସାଗରରେ ୯ଟି ଲଘୁଚାପ ହେବା ସହ ବହୁବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି କାରଣରୁ ରାଜ୍ୟରେ ବହୁ ବିଳମ୍ବ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହିବା ସହିତ ଭଲ ବର୍ଷା କରାଇବାରେ ସହାୟକ ହୋଇଛି।