ଅର୍ଥ ସାଜିଛି ବାଧକ; ଶଯ୍ୟାସାୟୀରେ ଛାତ୍ର

ଦାରିଙ୍ଗବାଡ଼ି/ଫୁଲବାଣୀ,ଏନ୍ଏନ୍ଏସ୍ : ପାଢ ପଢିବି ଓ ଦିନେ ବଡ଼ ଲୋକ ହେବ ବୋଲି ଯେଉଁ ସ୍ୱପ୍ନ ଦେଖିଥିଲା ସେହି ସ୍ୱପ୍ନ ଏବେ ଭାଙ୍ଗିଯାଇଛି। ସେହିଭଳି ସବୁ ଛାତ୍ରଛାତ୍ରୀଙ୍କ ପରି ସେ ହସି ଖେଳି ପାଠ ପଢ଼ୁଥିଲା ହେଲେ ଆଜି ପାଠ ପଢ଼ାରେ ଲାଗିଛି ଡୋରୀ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଂଚାୟତ ଲାଦାମାଲା ଗ୍ରାମରେ। ଗ୍ରାମର ପେଦ୍ର ଦିଗାଲଙ୍କ ପୁଅ ଦାଉଦ ଦିଗାଲ(୧୮)ଙ୍କ ପାଠ ପଢ଼ାରେ ଲାଗିଛି ଡୋରୀ ।

ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ପଂଚାୟତ ଅନ୍ତର୍ଗତ ଲାଦାମାଲା ଗ୍ରାମର ପେଦ୍ର ଦିଗାଲଙ୍କ ପୁଅ ଦାଉଦ ଦିଗାଲ ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର। ଦାଉଦ ବାପାଙ୍କ ସହିତ ନିଜ ଚାଷଜମିକୁ ହଳ କରିବା ପାଇଁ ଯାଇଥିବା ସମୟରେ ଦାଉଦର ବାମ ଗୋଡ଼ ଆଣ୍ଢୁରେ ଆଘାତ ଲାଗିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଆଘାତ ଫଳରେ ବାମ ଗୋଡ଼ରେ କ୍ଷତ ସୃଷ୍ଟିହେବା ସହିତ ଗୋଡ଼ଟି ଧିରେଧିରେ ଫୁଲିବାକୁ ଲାଗିଥିଲା । ଟଙ୍କା ପଇସା ଅଭାବରୁ ପୁଅର ଗୋଡ଼ର ଚିକିତ୍ସା କରିନପାରି ତାକୁ ଘରେ ରଖିଥିବା ବେଳେ ଦିନକୁଦିନ ଆଣ୍ଠୁ ଠାରୁ ଆରମ୍ଭ କରି ଗୋଡ଼ ଉପରକୁ ଫୁଲିବା ଆରମ୍ଭ ହୋଇ ଗୋଡ଼ଟି ଫୁଲି ଯାଇଥିଲା। ପୁଅ ଦାଉଦର ଚିକିତ୍ସା ପାଇଁ ଦିନ ମଜୁରି ଲାଗି ସଂଚିଥିବା ଟଙ୍କାରେ ବାପା ପୁଅକୁ ପ୍ରଥମେ ଦାରିଙ୍ଗବାଡ଼ି ଡାକ୍ତରଖାନାକୁ ନେଇଥିଲେ।

ଗୋଡ଼ ମାଡ଼ ହୋଇ ହାଡ଼ ଫାଟିଥିବା ନେଇ ଜାଣିବା ପରେ ପୁଅକୁ ଦାରିଙ୍ଗବାଡ଼ି ଠାରେ ଥିବା ଏକ ଘରୋଇ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଦାଉଦର ଗୋଡ଼ରେ ଘରୋଇ ଉପଚାରରେ ଗୋଡ଼ରେ ସେକ ଦେଇ ପାଟୁ ପକାଯାଇଥିଲା। ତେବେ ସେଠାରେ ଭଲ ଭାବରେ ଚିକିତ୍ସା କରାନଯିବାରୁ ଯନ୍ତ୍ରଣା କମିବା ବଦଳରେ ବଢ଼ିବାରେ ଲାଗିଥିଲା। ଯାହା ଫଳରେ ପରିବାର ଲୋକେ ଏହାପରେ ବାଲିଗୁଡ଼ା ଡାକ୍ତରଖାନାକୁ ନେଇଥିବା ବେଳେ ଚଳିତ ମାସ ୧୨ ତାରିଖରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ୩ଦିନର ଚିକିତ୍ସା ପରେ ୧୪ ତାରିଖରେ ଗୋଡ଼ରେ ଅପରେସନ୍ ଦ୍ୱାରା ହିଁ ସେ ଭଲ ହୋଇପାରିବେ ବୋଲି ଡାକ୍ତରମାନେ କହି ବ୍ରହ୍ମପୁର ଠାରୁ କଟକ ସ୍ଥାନାନ୍ତର କରିଥିଲେ।

୧୪ତାରିଖରେ କଟକ ବଡ଼ ମେଡିକାଲରେ ପହଂଚିବା ପରେ ଦାଉଦର ଗୋଡ଼ର ଚିକିତ୍ସାର ଅପରେସନ ଜରୁରୀ ହୋଇଥିବା ବେଳେ ସେଥିପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି ଡାକ୍ତରଖାନା ତରଫରୁ କୁହାଯାଇଥିଲା। କିନ୍ତୁ ସେଥିରେ ଦାଉଦଙ୍କ ପରିବାର ବର୍ଗ ଅସମର୍ଥ ହୋଇ ପୁଅକୁ ସେଠାରେ ୧୨ ଦିନ ପର୍ଯ୍ୟନ୍ତ ରଖି କଟକ ଡାକ୍ତରଖାନାରୁ ଗତକାଲି ସିମନବାଡ଼ି ସ୍ଥିତ ଘରକୁନେଇ ଚାଲିଆସିଥିଲେ। ଚଳିତବର୍ଷ ଦାଉଦ ଦଶମ ଶ୍ରେଣୀ ବାର୍ଷିକ ପରିକ୍ଷା ଦେଇଥିବା ବେଳେ ପରିକ୍ଷାପଳ ପ୍ରକାଶ ପରେ ଆଗକୁ ପାଠ ପଢ଼ିବା ପାଇଁ ଆଶା ରଖିଥିଲେ। କିନ୍ତୁ ଏହିପରି ଭାବରେ ଅକାରଣରେ ଏଭଳି ବ୍ୟାଧି ଘଟି ବର୍ତମାନ ବାପା ମା’ଙ୍କ ଉପରେ ବୋଝ ପାଲଟି ଯାଇଛନ୍ତି। ଦିନ ମଜୁରୀ ଲାଗି ପେଟ ପୋଷୁଥିବା ପେଦ୍ରଙ୍କ ପକ୍ଷରେ ପୁଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବା କଷ୍ଟକର ହୋଇଥିବାରୁ ତାଙ୍କ ପୁଅକୁ ଭଲ କରିବା ପାଇଁ ସେ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନ ତାଙ୍କୁ ସହ ଯୋଗ କରିବା ପାଇଁ ଗୁହାରୀ କରିଛନ୍ତି। ଏହିପରି ଅବସ୍ଥାରେ ବର୍ତମାନ ଦାଉଦ ଘରେ ରହି କେବଳ ଯନ୍ତ୍ରଣା କମିବା ପାଇଁ ଔଷଧ ଖାଇ ଘରେ ରହିଛନ୍ତି ।