ଧାମରା ପୋର୍ଟ ନାମରେ ନକଲି ୱେବ୍‌ସାଇଟ, ନିଯୁକ୍ତି ସୁଯୋଗ ଦେଖାଇ ଅର୍ଥ ଆଦାୟ

ଭଦ୍ରକ,ଏନ୍‌ଏନ୍‌ଏସ୍‌: କୌଣସି ଏକ ଠକ ସଂସ୍ଥା ଧାମରା ପୋର୍ଟ ନାମରେ ଏକ ୱେବ୍‌ସାଇଟ ତିଆରି କରି ଚାକିରି ଆଶାୟୀ ଯୁବପିଢ଼ିଙ୍କଠାରୁ ବିଭିନ୍ନ ପଦପଦବୀରେ ନିଯୁକ୍ତିର ସୁଯୋଗ ଦେଖାଇ ଅର୍ଥ ଆଦାୟ କରୁଥିବା ଜଣାପଡ଼ିଛି। ଏପରି ଏକ ତଥ୍ୟ ଧାମରା ପୋର୍ଟ ଅଧିକାରୀଙ୍କ ହସ୍ତଗତ ହେବା ପରେ ଏ ଦିଗରେ ପଦକ୍ଷେପ ସ୍ୱରୂପ ଏହି ନକଲି ୱେବ୍‌ସାଇଟ୍‌କୁ ତୁରନ୍ତ ବନ୍ଦ କରିବା ସହ ଏହି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି।

ଏ ନେଇ କମ୍ପାନୀ ପକ୍ଷରୁ ଧାମରା ଥାନାରେ ଏତଲା ଦିଆଯାଇଛି ଓ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରାଯାଇଛି। ଏହା ସହ ନିଯୁକ୍ତି ଆଶାୟୀ ଯୁବ ପିଢ଼ିଙ୍କୁ ଏହିପରି ଫେକ୍ ୱେବ୍‌ସାଇଟଠାରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି। ଧାମରା ପୋର୍ଟ କମ୍ପାନୀ ଲିମିଟେଡ (ଡିପିସିଏଲ୍‌)ର ଅଫିସିଆଲ ୱେବସାଇଟ୍ ହେଉଛି https://www.adaniports.com/Ports-and-Terminals/dhamra-port। ଏହା ବ୍ୟତୀତ କମ୍ପାନୀର ଅନ୍ୟ କୌଣସି ୱେବସାଇଟ୍ ନାହିଁ। ଏକ ନକଲି ୱେବସାଇଟ୍ https://dhamraport.in/ ମାଧ୍ୟମରେ ଅନ୍‌ଲାଇନ ନିଯୁକ୍ତି ସ୍କାମ୍ ଚାଲିଥିବା ସମ୍ବନ୍ଧରେ ପରିଚାଳନା ସଂସ୍ଥା ରିପୋର୍ଟ ପାଇଛି।

ସଂପୃକ୍ତ ୱେବ୍‌ସାଇଟ୍ ଉପରେ ଡିପିସିଏଲ୍‌ର କୌଣସି ନିୟନ୍ତ୍ରଣ କିମ୍ବା ସହଭାଗିତା ନାହିଁ ଏବଂ ସାଧାରଣ ଜନତାଙ୍କୁ ଏହାର ଶିକାର ନ ହେବାକୁ ଅନୁରୋଧ କରାଯାଇଛି। ଧାମରା ବନ୍ଦର ରୋଜଗାର ସମ୍ବନ୍ଧୀୟ ସୁଯୋଗ ପାଇଁ ଦେୟ ଦାବି କରେ ନାହିଁ ଏବଂ ସମସ୍ତ ଖାଲି ପଦବୀ କେବଳ ଉପରୋକ୍ତ ଅଫିସିଆଲ୍ ୱେବସାଇଟ୍‌ରେ ପ୍ରକାଶିତ ହୁଏ ବୋଲି ପୋର୍ଟ ପକ୍ଷରୁ କୁହାଯାଇଛି।