ପଞ୍ଚାୟତସ୍ତରରେ ଖର୍ଚ୍ଚ ହେଇପାରୁନି ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗ୍ରାମ ପଞ୍ଚାୟତସ୍ତରରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ ହେଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପାଣି ଭଳି ଅନୁଦାନ ଦେଉଛନ୍ତି। ଏଥିରେ ସରକାରଙ୍କର ସବୁଠାରୁ ସଫଳ ଓ ଲୋକପ୍ରିୟ ଯୋଜନା ‘ଆମ ଗାଁ ଆମ ବିକାଶ’ ଦ୍ୱାରା ସମସ୍ତ ପଞ୍ଚାୟତ ସ୍ତରରେ ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି। ସେହିପରି କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ ପକ୍ଷରୁ ମଧ୍ୟ ପଞ୍ଚାୟତ ସ୍ତରରେ ବିକାଶ ପାଇଁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଛି। କିନ୍ତୁ ସରକାରଙ୍କ ପକ୍ଷରୁ ମଞ୍ଜୁର ହେଉଥିବା ଏହି ଅର୍ଥ ସଠିକ୍‌ ଭାବେ ବିନିଯୋଗ ହୋଇନପାରୁନାହିିଁ

ଏ ନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ସଚିବ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖିଛନ୍ତି। ଗୋଟିଏ ପଟେ ୫- ଟି ମନ୍ତ୍ରକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିବାବେଳେ ସରକାରୀ ଟଙ୍କା ପଡ଼ି ରହିଥିବାରୁ ଅଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯– ୨୦ ୧୪ତମ କେନ୍ଦ୍ର ଅର୍ଥ କମିଶନ ଓ ୪ର୍ଥ ରାଜ୍ୟ ଅର୍ଥ କମିଶନର ଶେଷ ବର୍ଷ ହୋଇଥିବାବେଳେ ଆସନ୍ତା ୨୦୨୦ ଏପ୍ରିଲ୍‌ ୧ରୁ ୧୫ତମ କେନ୍ଦ୍ର ଅର୍ଥ କମିଶନ ଓ ୫ ରାଜ୍ୟ ଅର୍ଥ କମିଶନ ବର୍ଷ ଆରମ୍ଭ ହେବ। ମାତ୍ର ଚଳିତ କମିଶନ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଥ ଖର୍ଚ୍ଚ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛନ୍ତି। ଗ୍ରାମ ପଞ୍ଚାୟତ ସ୍ତରରେ ମୌଳିକ ସୁବିଧା ସୁଯୋଗ ଯୋଗାଇବା ସହିତ ସାଧାରଣ ଲୋକଙ୍କ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନାରେ ସରକାର ଦେଉଥିବା ଅର୍ଥ ଖର୍ଚ୍ଚ କରିବା ପାଇଁ ବ୍ୟବସ୍ଥା ରହିଛି।

ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଅନୁମୋଦନ ହୋଇଥିବା ଅର୍ଥର ସୁ– ବିନିଯୋଗ କରିବା ପାଇଁ ପଞ୍ଚାୟତିରାଜ ସ୍ୱତନ୍ତ୍ର ଶାସନ ସଚିବ ସବୁ ଜିଲ୍ଲାର ଜିଲ୍ଲା ପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏହି ଅର୍ଥ ବିନିଯୋଗରେ ପଞ୍ଚାୟତ ସ୍ତରରେ ଉତ୍ତମ ମାନର ରାସ୍ତା ନିର୍ମାଣ ହୋଇପାରିବ। ପଞ୍ଚାୟତ ସ୍ତରରେ ଜଳ ଯୋଗାଣକୁ ସୁ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ। ପାନୀୟ ଜଳ ଯୋଗାଣ, ୱାଟର ଟ୍ୟାଙ୍କ ନିର୍ମାଣ, ଚେକ୍‌ ଡ୍ୟାମ୍‌ ନିର୍ମାଣ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଏହି ଅର୍ଥର ବିନିଯୋଗ ହୋଇପାରିବ। ସେହିଭଳି ପଞ୍ଚାୟତ ସ୍ତରରେ ମାର୍କେଟ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ ନିର୍ମାଣ ପାଇଁ ଅର୍ଥ ଅନୁମୋଦନ ହୋଇଛି। ଏହାବାଦ୍‌ ସରକାରୀ ଭିତ୍ତିଭୂମିର ପୁନରୁଦ୍ଧାର ଯେପରିକି, ପ୍ରାଥମିକ ସ୍କୁଲ ଗୃହ, ସ୍କୁଲରେ ପାଚେରି ନିର୍ମାଣ  ଏବଂ ଶୌଚାଳୟ ନିର୍ମାଣ ଇତ୍ୟାଦି କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହୋଇପାରିବ। 

ତେବେ ନୂଆ ସରକାର ଗଠନ ହେବା ପରେ ଅଧିକାରୀମାନଙ୍କୁ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ଯୋଜନା ଗୁଡିକର କମ ସମୟରେ କାର୍ଯ୍ୟକାରୀ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମାସକୁ ଥରେ ମୁଖ୍ୟମନ୍ତ୍ରୀ ନିଜେ ସବୁ ବିଭାଗର କାର୍ଯ୍ୟପନ୍ଥା ସମୀକ୍ଷା କରୁଛନ୍ତି। ତେଣୁ ପ୍ରଶାସନିକ ସ୍ତରରେ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ପାଇଁ ନିର୍ଦ୍ଦେଶ ରହିଛି।