ଆଉ ନିର୍ବାଚନର ଆବଶ୍ୟକତା ନାହିଁ : ଉଦ୍ଧବ ଠାକରେ

ମୁମ୍ବାଇ : ରାତାରାତି ସରକାର ଗଠନର ସ୍ବପ୍ନ ଚୁରମାର ହୋଇଯିବାକୁ ହଜମ କରି ପାରୁନି ଶିବସେନା। ଏହି ପରିପ୍ରେକ୍ଷୀରେ ଏନସିପି ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ‘ମହାରାଷ୍ଟ୍ର ରାଜନୀତିରେ ଯାହାସବୁ ଘଟିଲା ବା ଘଟୁଛି ତାହାକୁ ସାରା ଦେଶ ଦେଖୁଛି। ଏହି ଘଟଣା ପରେ ଦେଶରେ ଆଉ ନିର୍ବାଚନର ଆବଶ୍ୟକତା ନାହିଁ; ଯିଏ ଚାହିଁବ ସିଧାସଳଖ ସରକାର ଗଠନ କରିଦେଇପାରିବ ବୋଲି ମୋର ଅନୁଭବ ହେଉଛି। ବିହାର ଓ ହରିୟାଣାରେ ବିଜେପି ଯାହା କରିଥିଲା ବା କରିଛି ତାହା ଦେଶବାସୀ ଦେଖିଛନ୍ତି; କିନ୍ତୁ ଆମେ ଲୁଚାଛପାରେ କିଛି କରୁ ନାହୁଁ।

ଶିବସେନା ଯାହା କରୁଛି ଖୋଲାଖୋଲି ଭାବେ। ବିଜେପିକୁ ମିତ୍ର କିମ୍ବା ବିରୋଧୀ କେହି ଦରକାର ନାହାନ୍ତି। ପରିସ୍ଥିତି ଅନୁସାରେ ଏହା ଭଙ୍ଗାଗଢ଼ା ରାଜନୀତି ଚଳାଇଛି। ଅନୈତିକ ଭାବେ ଗଢ଼ା ନୂଆ ସରକାର ବେଶିଦିନ ତିଷ୍ଠି ପାରିବ ନାହିଁ। ଅଜିତ୍‌ ପୱାର ଶୀଘ୍ର ଗାଦିଚ୍ୟୁତ ହେବେ। ତାଙ୍କୁ କିଏ ସବୁ ଏଭଳି ଅନୈତିକ କାର୍ୟ୍ୟରେ ସାହାଯ୍ୟ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେବ। ଇଭିଏମ୍‌ ପରେ ବିଜେପିର ଏହା ଏକ ନୂଆ ଖେଳ ବୋଲି ଉଦ୍ଧବ କହିଛନ୍ତି।