ପର୍ଯ୍ୟାବରଣ ସୁରକ୍ଷା ପାଇଁ ଭାଗବତଙ୍କ ଆହ୍ୱାନ

ଉଦଯାପିତ ହେଲା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ

ଭୁବନେଶ୍ୱର, ନ୍ଏନ୍ଏସ୍: ସ୍ଥାନୀୟ ତେରାପନ୍ଥ ଭବନଠାରେ ଦୁଇଦିନ ଧରି ଚାଲିଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ପୂର୍ବ କ୍ଷେତ୍ର ବୈଠକ ଗୁରୁବାର ଉଦ୍ୟାପିତ ହୋଇଛି। ଏଥିରେ ସାମାଜିକ ସମରସତା, ପରିବାର ପ୍ରବୋଧନ, ପର୍ଯ୍ୟାବରଣ, ଜଳ ସଂରକ୍ଷଣ ଓ କରୋନା ସମୟରେ ସଂଘର ସ୍ୱୟଂସେବକମାନଙ୍କ ଦ୍ୱାରା କରାଯାଇଥିବା ସେବା କାର୍ଯ୍ୟ ଆଦି ବିଷୟରେ ଚର୍ଚ୍ଚା ଓ ଆଲୋଚନା ହୋଇଛି। ବିଶେଷ କରି ପର୍ଯ୍ୟାବରଣ ସୁରକ୍ଷା ପାଇଁ ସ୍ୱୟଂସେବକମାନଙ୍କୁ ଆହ୍ୱାନ କରିଛନ୍ତି ଆରଏସଏସର ସରସଂଘଚାଳକ ଡ. ମୋହନ ଭାଗବତ।

କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଭାଗବତ କହିଛନ୍ତି ଯେ କରୋନା କାରଣରୁ ସାମାଜିକ ପରିବେଶ ବଦଳିଛି। ଏହି ପରିବର୍ତ୍ତିତ ପରିବେଶରେ ସ୍ୱୟଂସେବକମାନେ ନିଜର କାର୍ଯ୍ୟଶୈଳୀକୁ ବଦଳାଇବାର ଆବଶ୍ୟକତା ଅଛି। ଖୋଲାପଡ଼ିଆରେ ଶାଖା ଲଗାଇବା ବେଳେ କରୋନା ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବା ଏବଂ ସତର୍କତାର ସହିତ ଶାରୀରିକ ଦୂରତା ବଜାୟ ରଖିବା ଉପରେ ସେ ଗୁତୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ସୁରକ୍ଷା ହେଉଛି ପରିବେଶ ସୁରକ୍ଷା। ଯେତେବେଳେ ପରିବେଶ ସୁରକ୍ଷା ପ୍ରସଙ୍ଗ ଆସେ, ଜଳ ସଂରକ୍ଷଣ କରିବା, ଜଳର ଅପବ୍ୟବହାରକୁ ରୋକିବା, ପ୍ଲାଷ୍ଟିକ ବ୍ୟବହାରରେ ପ୍ରତିବନ୍ଧ ଭଳି ସଚେତନତା ଅଭିଯାନ କରିବାକୁ ପଡିବ। ଜଳ ସୃଷ୍ଟି କରିପାରିବା ନାହିଁ, କିନ୍ତୁ ସଞ୍ଚୟ କରିପାରିବା। ଗଛ ଲଗାଯାଇପାରିବ, ତେଣୁ ଅଧିକରୁ ଅଧିକ ଗଛ ଲଗାଇବା। ମନ୍ଦିର, ଜଳ ଉତ୍ସ ଏବଂ ଶ୍ମଶାନ ଘାଟ ସମସ୍ତଙ୍କ ପାଇଁ ଖୋଲାରଖିବା ଏବଂ ଏ ସମସ୍ତ ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବା ଲାଗି କାର୍ଯ୍ୟ କରିବାକୁ ସରସଂଘଚାଳକ ବୈଠକରେ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପରିବାର ପ୍ରବୋଧନ ପାଇଁ ସଂଘର ସ୍ୱୟଂସେବକ ଯେଉଁ କାମ କରୁଛନ୍ତି, ତାହାକୁ ଆହୁରି ବୃଦ୍ଧିକରିବାକୁ ପଡ଼ିବ ବୋଲି ଭାଗବତ କହିଛନ୍ତି। କରୋନା ଅବଧି ସମୟରେ ସଂଘ ତରଫରୁ ଅନେକ ପ୍ରକାର ସେବାକାର୍ଯ୍ୟ କରାଯାଇଛି। ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ମଧ୍ୟ ସେବା କାମରେ ସାମିଲ ହୋଇଥିଲେ।

ସେମାନଙ୍କ ସହିତ ନିରନ୍ତର ସଂପର୍କ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ସ୍ୱରୋଜଗାର, ଆତ୍ମନିର୍ଭରଶୀଳତା ଏବଂ ସ୍ୱାବଲମ୍ବନ କାର୍ଯ୍ୟକୁ ଆଧାର କରି ସେବା କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ଯୋଜନା ହୋଇଛି। ଏହି ବୈଠକରେ ସଂଘ କାର୍ଯ୍ୟର ବର୍ତମାନ ସ୍ଥିତିର ସମୀକ୍ଷା କରାଯିବା ସହିତ ଆଗାମୀ କାର୍ଯ୍ୟକ୍ରମ ଉପରେ ବିଚାର ବିମର୍ଶ କରାଯାଇଥିଲା। ଏଥିରେ ସଂଘର ସରକାର୍ଯ୍ୟବାହ ସୁରେଶ ଯୋଶୀ, ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ୍ ଓ ଆଣ୍ଡାମାନ-ନିକୋବରର ୩୫ଟି ଆରଏସଏସ ମଣ୍ଡଳର ସଦସ୍ୟ ସାମିଲ ହୋଇଥିଲେ।