ଆଫଗାନ ସଙ୍କଟ ପାଇଁ ମୋଦିଙ୍କ ଜରୁରୀ ବୈଠକ

  • ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟକୁ ନେଇ ଭାରତରେ କମ୍ପନ। ଏହାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ କରିଛନ୍ତି। ଏହି ସମୟରେ ସେ ପୂରା ସ୍ଥିତିର ସମୀକ୍ଷା କରିଛନ୍ତି। ଏହି କ୍ୟାବିନେଟ କମିଟି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ।
    ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାବେଳେ ସେଠାରେ ଫସିରହିଥିବା ଭାରତୀୟମାନେ ଉଦ୍ଧାର ପାଇଁ ବିକଳ ହେଉଛନ୍ତି। ଆଫଗାନିସ୍ତାନରୁ ସେମାନେ ଭାରତ ସରକାରଙ୍କୁ ନିବେଦନ କରି ଭିଡିଓ ମଧ୍ୟ ଜାରି କରୁଛନ୍ତି। ଏସବୁ ଭିତରେ ମୋଦି ଜରୁରୀ ବୈଠକ କରିଥିବାରୁ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି।
    ରବିବାର କାବୁଲ ତାଲିବାନ କବଜାକୁ ଯିବା ପରେ ସେଠାରେ ସଙ୍କଟ ଦେଖାଯାଇଛି। ଏହାସତ୍ତେ୍ୱ ବିଭିନ୍ନ ରାଷ୍ଟ୍ରଗୁଡ଼ିକ ଭଳି ଭାରତ ମଧ୍ୟ ଦୁଇଟି ସ୍ୱତନ୍ତ୍ର ବିମାନରେ ଦୂତାବାସ କର୍ମଚାରୀ ଓ ରାଷ୍ଟ୍ରଦୂତଙ୍କୁ ଏୟାରଲିଫ୍ଟ କରିଛି। ପ୍ରଧାନମନ୍ତ୍ରୀ ଆଫଗାନ ସ୍ଥିତିକୁ ନେଇ ନିୟମିତ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି।
    ଉଦ୍ଧାରଠାରୁ ଆରମ୍ଭ କରି ବିଭିନ୍ନ ଦିଗ ଉପରେ ସେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି। ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଆଜିର ବୈଠକରେ କ୍ୟାବିନେଟ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଆଜି ଉଦ୍ଧାର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି।
    ଅନ୍ୟପକ୍ଷରେ ଦୂତାବାସ କର୍ମଚାରୀ ଏୟାରଲିଫ୍ଟ ହେବା ପରେ କାବୁଲରେ ଥିବା ଭାରତର କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିବା ଖବରରେ ନୂଆ ଟ୍ୱିଷ୍ଟ ଆସିଛି। ଦୂତାବାସ କର୍ମଚାରୀ ଫେରିଥିଲେ ମଧ୍ୟ କାବୁଲ କାର୍ଯ୍ୟାଳୟ ବନ୍ଦ ହୋଇନାହିଁ। ସ୍ଥାନୀୟ କର୍ମଚାରୀମାନେ ଲୋକଙ୍କୁ କନସୁଲାର ସେବା ଯୋଗାଇ ଦେଉଛନ୍ତି। ଏଯାଏ ୧୬୫୦ରୁ ଅଧିକ ଲୋକ ଭାରତ ଫେରିବାକୁ ଆବେଦନ କରିସାରିଛନ୍ତି। ସେମାନଙ୍କୁ ତୁରନ୍ତ ସ୍ୱଦେଶ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।