ମୋଦୀଙ୍କ ବିତ୍ତୀୟ ପ୍ୟାକେଜକୁ ବିଭିନ୍ନ ଉଦ୍ୟୋଗର ସ୍ୱାଗତ

ନୂଆଦିଲ୍ଲୀ,ଏଜେନ୍ସି : କରୋନା ମହାମାରୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିକୁ ସୁଧାରିବା ତଥା ଏହାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ଲାଗି ୨୦ ଲକ୍ଷ କୋଟି ଟଙ୍କାର ଐତିହାସିକ ବିତ୍ତୀୟ ପ୍ୟାକେଜ୍ ସମ୍ବନ୍ଧରେ ଘୋଷଣା କରିଛନ୍ତି। ଏମଏସଏମଇ, ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି। ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ମୋଦୀ ଏହି ପ୍ୟାକେଜ୍ ସମ୍ବନ୍ଧର ଘୋଷଣା କରିଥିବାବେଳେ ମୋଦୀଙ୍କର ଏହି ପ୍ୟାକେଜକୁ ଉଦ୍ୟୋଗ ଜଗତରେ ସ୍ୱାଗତ କରାଯାଇଛି।

ନୀତୀନ ଗଡ଼କରି (କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ)
ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଦ୍ୱାରା ଏମ୍ଏସ୍ଏମ୍ଇ (କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ) ଏବଂ କୁଟୀର ଶିଳ୍ପକୁ ନୂତନ ଶିଖରରେ ପହଞ୍ଚିବାରେ ସହଯୋଗ ମିଳିବ। ଏମଏସଏମଇ, ସଡ଼କ ପରିବହନ ଏବଂ ରାଷ୍ଟ୍ରୀୟମାର୍ଗ ମନ୍ତ୍ରୀ କହିଛନ୍ତି ଯେ ଏହି ଐତିହାସିକ ପ୍ୟାକେଜ୍ ଜରିଆରେ ପ୍ରଧାନମନ୍ତ୍ରୀ ଏମଏସଏମଇ ଓ ଗ୍ରାମୀଣ ଏବଂ କୁଟୀର ଉଦ୍ୟୋଗର ଆଶାକୁ ପୂରା କରିଛନ୍ତି। ଏହାସହ ପର୍ଯ୍ୟାପ୍ତ ଉପାୟ, ଉନ୍ନତ ପ୍ରାଦ୍ୟୋଗିକ ଏବଂ ଅଶୋଧିତ ମାଲ୍ ଦ୍ୱାରା ଭାରତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ସେ କହିଛନ୍ତି। କରୋନା ମହାମାରୀ କାରଣରୁ ଆର୍ôଥକ ମାନ୍ଦାବସ୍ଥାକୁ ଏକ ଅବସର ରୂପେ ଗ୍ରହଣ କରିବା ଆବଶ୍ୟକ ଏବଂ ଭାରତକୁ ଆଗକୁ ନେବା ପାଇଁ ଆତ୍ମନିର୍ଭରଶୀଳ ହେବା ନେଇ ପ୍ରୟାସ କରିବା ମଧ୍ୟ ଆବଶ୍ୟକ। ଏହାସହ ମୋଦୀଙ୍କ ଏହି ପଦକ୍ଷେପକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶ ମନେ ରଖିବ ବୋଲି ଗଡ଼କରି କହିଛନ୍ତି।

ଜେନେରାଲ୍ ଦୀପକ ସୁଦ୍ (ଏସୋଚାମ୍ ସେକ୍ରେଟାରି)
ଏସୋଚେମ୍ ସେକ୍ରେଟାରି ଜେନେରାଲ୍ ଦୀପକ ସୁଦ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଏହି ବିତ୍ତୀୟ ପ୍ୟାକେଜ୍ ଘୋଷଣା କରାଯାଇଥିବାରୁ ଦେଶର ଉଦ୍ୟୋଗ ଜଗତ ଅନେକ ଆଶାନ୍ୱିତ ହୋଇଛନ୍ତି। ଏହି ପ୍ୟାକେଜ୍ ଦ୍ୱାରା ଆମେ ୪ ପ୍ରତିଶତ ପର୍ଯ୍ୟନ୍ତ ଜିଡିପି ଅଭିବୃଦ୍ଧି ହାସଲ କରିବାରେ ସକ୍ଷମ ହେବୁ ବୋଲି ସେ କହିଛନ୍ତି।

ଜେନେରାଲ୍ ଦିଲ୍ଲୀପ ଶିନାୟ (ଫିକ୍କି ସେକ୍ରେଟାରି)
ସେହିପରି ଉଦ୍ୟୋଗ ଜଗତର ଅନ୍ୟତମ ସଂସ୍ଥା ଫିକ୍କି ତରଫରୁ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ପ୍ୟାକେଜ୍କୁ ସ୍ୱାଗତ କରାଯାଇଛି। ଫିକ୍କିର ସେକ୍ରେଟାରୀ ଜେନେରାଲ୍ ଦିଲ୍ଲୀପ ଶିନାୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ଭାରତର ଅର୍ଥବ୍ୟବସ୍ଥାକୁ ପୁନଶ୍ଚ ଅଭିବୃଦ୍ଧି ପଥରେ ଅଣାଯାଇପାରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ୨୦ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜ୍ର ଘୋଷଣା ବେଶ୍ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏଥିରେ ସମାଜର ସମସ୍ତ ବର୍ଗକୁ ଦୃଷ୍ଟିରେ ରଖାଯାଇଛି ଏବଂ ବିଭିନ୍ନ ପ୍ରକାରର ଉଦ୍ୟୋଗକୁ ସହଯୋଗ କରିବା ଲାଗି ପ୍ରୟାସ କରାଯାଉଛି। ଏହାଦ୍ୱାରା ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଅନେକ ସହଯୋଗ ମିଳିବ।

ସି ବାନାର୍ଜୀ (କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଡିଜି)
ଅପରପକ୍ଷେ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିର ଡିଜି ସି ବାନାର୍ଜୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କରୋନା ମହାମାରୀ ସଙ୍କଟ ସମୟରେ ଯେଉଁ ବିତ୍ତୀୟ ପ୍ୟାକେଜ୍ ଘୋଷଣା କରିଛନ୍ତି, ତଦ୍ୱାରା ଉଦ୍ୟୋଗକୁ ବେଶ୍ ସାହାଯ୍ୟ ମିଳିବ। ୨୦ ଲକ୍ଷ କୋଟି ଟଙ୍କାର କରୋନା ପ୍ୟାକେଜ୍ରୁ ଦେଶରେ ଆର୍ଥିକ ରିକୋଭରୀ ପାଇଁ ରାସ୍ତା ଖୋଲିବାରେ ମଧ୍ୟ ସହଯୋଗ ମିଳିବ। ଏହି ପଦକ୍ଷେପ ଦ୍ୱାରା ଆମେ ବେଶ୍ ଆଶାନ୍ୱିତ ରହିଛୁ ଏବଂ ମୋଦୀଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରୁଛୁ ବୋଲି ସେ କହିଛନ୍ତି।

ସାଜନ୍ ଜିନ୍ଦଲ (ଜେଏସଡବ୍ଲୁ ଗ୍ରୁପ୍ ଏମ୍ଡି)
ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜ୍ ଦ୍ୱାରା ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଗତି ଆଣିବାରେ ସାହାଯ୍ୟ ମିଳିବ ବୋଲି ପ୍ରମୁଖ ଉଦ୍ୟୋଗପତି ତଥା ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ଏମ୍ଡି ସାଜନ୍ ଜିନ୍ଦଲ କହିଛନ୍ତି। ଏହାସହ ଏହି ପ୍ୟାକେଜ୍ କାରଣରୁ ଅର୍ଥବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ କରିବା ନେଇ ଆମେ ସ୍ୱପ୍ନ ଦେଖିଛୁ। ଏନେଇ ଆମକୁ ଆମର ପ୍ରାଦ୍ୟୋଗିକ କୌଶଳ ଏବଂ ସୁଦୃଢ଼ ଘରୋଇ ଚାହିଦାର ଲାଭ ଉଠାଇବାକୁ ହେବ। ଉନ୍ନତ ଇନ୍ଫ୍ରାଷ୍ଟ୍ରକ୍ଚର ଏବଂ ଯୋଗାଣ ଶୃଙ୍ଖଳ ସ୍ଥାପନ କରିବାକୁ ହେବ, ଯାହା ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଗତି ଦେବାରେ ସହଯୋଗ କରିବ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।