ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ଏହାକୁ କେତେକ ପାଳନ କରୁ ନଥିବା ଦେଖାଯାଇଛି। ରବିବାର ‘ଜନତା କର୍ଫ୍ୟୁ’କୁ ଲୋକେ ଯେଉଁଭଳି ଭାବେ ପାଳନ କଲେ ତାହା ସ୍ୱାଗତଯୋଗ୍ୟ। ମାତ୍ର ଦେଶର ଯେଉଁ ସହରରେ କରୋନା ପଜିଟିଭ ଥିବା ରୋଗୀ ରହିଛନ୍ତି ସେହିଭଳି ପ୍ରାୟ ୭୫ ଜିଲ୍ଲାକୁ କେନ୍ଦ୍ର ସରକାର ମାର୍ଚ୍ଚ ୨୩ ସୋମବାରଠାରୁ ୩୧ ତାରିଖ ପର୍ୟ୍ୟନ୍ତ ଲକ୍ଡାଉନ୍ କରିବାକୁ ଘୋଷଣା କରିଥିବା ବେଳେ ଏହାକୁ ଅଧିକାଂଶ ଲୋକେ ପାଳନ କରୁନଥିବା ଦେଖାଯାଇଛି।
ସୋମବାର ସକାଳୁ ବିଭିନ୍ନ ସହରରେ ଲୋକେ ଏଣେତେଣେ ବୁଲିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏବେବି ଦେଖାଯାଉଛି ଲୋକେ ଏଣେତେଣେ ବୁଲୁଛନ୍ତି। ତେଣୁ ମୋଦୀ ଅନୁରୋଧ କରିଛନ୍ତି ଯେ ଦୟାକରି ନିଜକୁ ଓ ନିଜ ପରିବାରକୁ ରକ୍ଷା କରନ୍ତୁ। ନିୟମକୁ କଡାକଡି ପାଳନ କରନ୍ତୁ। ଏହାପରେ କେନ୍ଦ୍ର ସରକାର ଲକଡାଉନ୍ କରାଯାଇଥିବା ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।