ଜୁନ୍ ୨୦ରେ ଆମେରିକା ଯିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ରୁ ୨୫ ମଧ୍ୟରେ ଆମେରିକା ଓ ଇଜିପ୍ଟ ଗସ୍ତ କରିବେ । ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ଜୁନ୍ ୨୧ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତ କରୁଛନ୍ତି । ଜୁନ୍ ୨୨ରେ ବାଇଡେନଙ୍କ ପକ୍ଷରୁ ମୋଦୀଙ୍କ ପାଇଁ ରାଜକୀୟ ଭୋଜନର ଆୟୋଜନ କରାଯିବ। ଏହି ଯାତ୍ରା ସମୟରେ ଜୁନ୍ ୨୨ରେ ମୋଦୀ ଆମେରିକୀୟ କଂଗ୍ରେସର ସଂଯୁକ୍ତ ଅଧିବେସନକୁ ସମ୍ବୋଧିତ କରିବେ । ଜୁନ୍ ୨୩ରେ ଆମେରିକା ଉପରାଷ୍ଟ୍ରପତି କମଲା ହେରିସ ଓ ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ ମୋଦୀଙ୍କ ପାଇଁ ଦ୍ୱିପ୍ରହର ଭୋଜନର ଆୟୋଜନ କରିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଉଚ୍ଚସ୍ତରୀୟ ବାର୍ତ୍ତା କ୍ରମରେ ରାଷ୍ଟ୍ରପତି ବାଇଡେନଙ୍କୁ ଜୁନ୍ ୨୨ରେ ୱାଶିଂଟନରେ ଭେଟିବେ । ଜୁନ୍ ୨୧ରେ ନ୍ୟୁୟର୍କସ୍ଥିତ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସମାରୋହକୁ ମୋଦୀ ଅଧ୍ୟକ୍ଷତା କରିବେ । ଦିଲ୍ଲୀ ଫେରିବା ପୂର୍ବରୁ ଇଜିପ୍ଟ ଗସ୍ତ କରିବେ ।