ନୂଆଦିଲ୍ଲୀ,ଏଜେନ୍ସି : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପଙ୍କୁ ଭାରତରେ ଭବ୍ୟ ସ୍ୱାଗତ କରିବା ପାଇଁ ମୋଦୀ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆସନ୍ତା ୨୪ରେ ଟ୍ରମ୍ପ ଦମ୍ପତି ଗୁଜରାଟର ଅହମ୍ମଦାବାଦରେ ବିରାଟ ରୋଡ୍ ଶୋ’ରେ ଯୋଗଦେଇସାରି ତାଜମହଲ ଦେଖିବାକୁ ଉତ୍ତରପ୍ରଦେଶର ଆଗ୍ରା ଯିବେ। ତେବେ ଟ୍ରମ୍ପ ଦମ୍ପତିଙ୍କ ଆଗ୍ରା ଗସ୍ତରେ ସେମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ ନାହିଁ। ଟ୍ରମ୍ପ ଦମ୍ପତିଙ୍କ ସହ ଏକ ୧୨ ଜଣିିଆ ପ୍ରତିନିଧିଦଳ ଭାରତ ଆସୁଛନ୍ତି ବୋଲି ଆମେରିକା ପକ୍ଷରୁ ଶନିବାର ଅବଗତ କରାଯାଇଛି।
ଭାରତକୁ ଆସୁଥିବା ଏହି ପ୍ରତିନିଧିଦଳରେ ଆସୁଛନ୍ତି ରାଷ୍ଟ୍ରପତିଙ୍କ ସହକାରୀ ଏବଂ ଫାଷ୍ଟ ଲେଡିଙ୍କ ଚିଫ୍ ଅଫ୍ ଷ୍ଟାଫ୍ ରବର୍ଟ ବ୍ଲେୟାର, ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନେଥ ଜଷ୍ଟର, ବାଣିଜ୍ୟ ସଚିବ ୱିଲବୁର ରଶ, ଶକ୍ତି ସଚିବ ଡାନ୍ ବ୍ରୌଲେଟେ, କାର୍ଯ୍ୟକାରୀ ଚିଫ୍ ଅଫ୍ ଷ୍ଟାଫ୍ ମାଇକ୍ ମୁଲଭାନେ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରିଏନ୍।